ପୁରୀ: ଜ୍ୱରରେ ପୀଡିତ ମହାପ୍ରଭୁ । ଅଣସର ଘରେ ଚାଲିଛି ମହାପ୍ରଭୁଙ୍କ ଗୁପ୍ତ ସେବା । ଅଣସର ଘରର ଚତୁର୍ଥ ଦିନରେ ଜ୍ବରରୁ ଉପଶମ ପାଇବା ପାଇଁ ମହାପ୍ରଭୁଙ୍କୁ ଦଇତାପତି ସେବାୟତମାନେ ଶ୍ରୀଅଙ୍ଗରୁ ଓଦାବସ୍ତ୍ର ଓଲାଗି ସହ ଶ୍ରୀଅଙ୍ଗ ଫିଟା ନୀତି କରିଥିଲେ । ଏହା ପରେ ଅଣସର ଘରର ପଞ୍ଚମ ଦିନ (ସୋମବାର) ମହାପ୍ରଭୁଙ୍କ ଶ୍ରୀଅଙ୍ଗର ଉପଶମ ପାଇଁ ଫୁଲୁରି ତେଲ ଲାଗି କରାଯାଇଛି । ବଡ଼ଓଡ଼ିଆ ମଠ ପକ୍ଷରୁ ପ୍ରସ୍ତୁତ ତେଲ ମଧ୍ୟାହ୍ନ ଧୂପ ପରେ ଶ୍ରୀମନ୍ଦିରରେ ପହଞ୍ଚିଥିଲା । ଏହା ପରେ ଦଇତାପତି ସେବକମାନେ ଜ୍ବର କମାଇବା ପାଇଁ ଶ୍ରୀଅଙ୍ଗରେ ଏହି ତେଲ ଲାଗି କରାଇଥାନ୍ତି ।
ଏହି ତେଲ ଲାଗି ହେବା ପରେ ସାମାନ୍ୟ ସୁସ୍ଥ ହେଉଛନ୍ତି ମହାପ୍ରଭୁ । ଏହି ଫୁଲୁରି ତେଲ ପ୍ରତିବର୍ଷ ବଡ଼ଓଡ଼ିଆ ମଠ ପକ୍ଷରୁ ଯୋଗାଯାଇଥାଏ । ୧୦୮ ଗରା ସୁବାସିତ ଜଳରେ ମହାପ୍ରଭୁ ପ୍ରତ୍ୟକ୍ଷ ସ୍ନାନ କରିବା ପରେ ଜ୍ୱରରେ ପୀଡିତ ହୋଇଛନ୍ତି । ଏହି ଫୁଲୁରି ତେଲ ଲାଗି ହେବା ପରେ ମହାପ୍ରଭୁ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ଆଜିଠୁ ତିନିଦିନ ଧରି ମହାପ୍ରଭୁଙ୍କୁ ଓଷ ଲାଗି କରାଯିବ । ଷଷ୍ଠୀ ଠାରୁ ନବମୀ ତିଥି ପର୍ଯ୍ୟନ୍ତ ଏହି ଔଷଧ ଲାଗି କରାଯିବ। ଫଳରେ କିଛି ମାତ୍ରାରେ ଶ୍ରୀଜୀଉ ଜ୍ୱରରୁ ଉପଶମ ପାଇବେ। ଦଶମୀ ଦିନ ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ମୋଦକ ଖାଇବା ପରେ ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହେବେ ।
ଜ୍ଵର ଭଲ ହେବା ପରେ ଆସନ୍ତା ୨୭ ତାରିଖରେ ଆରମ୍ଭ ହେବ ମହାପ୍ରଭୁଙ୍କର ପବିତ୍ର ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଭକ୍ତ ପାଇଁ ଭଗବାନ ଶ୍ରୀମନ୍ଦିର ଛାଡି ରଥରେ ବିଜେ କରିବେ। ସେଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ରଥଯାତ୍ରା ସମୟରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ବୈଠକ ସହ ସୁରକ୍ଷାକୁ କଡାକଡି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।