ଯାଜପୁର; ଜୀବନ ନେଉଛି ଡାଇରିଆ । ପ୍ରଥମେ ଯାଜପୁର ପରେ ଢେଙ୍କାନାଳ ଓ ଭୁବନେଶ୍ୱରକୁ ମିଶାଇ ୭ ଜିଲ୍ଲାକୁ ବ୍ୟାପିଲାଣି ଝାଡାବାନ୍ତି । ଯେଉଁଥିରେ ୧୭୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୧ ଜଣଙ୍କ ଜୀବନ ଗଲାଣି । ସେମାନଙ୍କ ମଧ୍ୟରୁ୧୩୦୦ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ବିଭିନ୍ନ ମେଡିକାଲରେ ୨୪୦ ଜଣଙ୍କ ଚିକିତ୍ସା ଚାଲିଛି । ତେବେ ଦିନକୁ ଦିନ ହଇଜାର ପ୍ରକୋପ ବଢିବାକୁ ଲାଗିଥିବା ବେଳେ ଏହା ମହାମାରୀ ନୁହେଁ ବରଂ ଏହା ସ୍ଥାନୀୟ ସଂକ୍ରମଣ ବୋଲି ରିପୋର୍ଟ ଦେଇଛି ୧୪ ଜଣିଆ କେନ୍ଦ୍ରିୟ ଦଳ ।
ସେପଟେ ଯାଜପୁରର ବିଭିନ୍ନ ସ୍ଥାନରେ ପରିସ୍ଥିତି ସଙ୍ଗୀନ ରହିଥିବା ବେଳେ ଧର୍ମଶାଳା ଅଧୀନରେ ଥିବା ହୋଟେଲ, ଡାବା, ଫାଷ୍ଟଫୁଡ, ଆଇସକ୍ରିମ କାରଖାନା, ପାଣି ପାଉଚ୍ କାରଖାନା ଓ ଆମିଷ ଦୋକାନ ଗୁଡ଼ିକୁ ଆସନ୍ତା ଦୁଇ ସପ୍ତାହ ପାଇଁ ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । ବିନା ଅନୁମତିରେ ଦୋକାନ ଖୋଲିଲେ ଆଇନ୍ ଅନୁଯାୟୀ ଦଣ୍ଡିତ ହେବା ସହ ବିବାହ, ବ୍ରତଘର, ଜନ୍ମଦିନ, ତଥା ସମୁହ ଭୋଜିଭାତକୁ ବର୍ଜନ କରିବାକୁ ଅନୁରୋଧ କରାଯାଇଛି । ଏହାସହ ପ୍ରଭାବିତ ଗାଁକୁ ଯାଇ ଲୋକମାନଙ୍କୁ ସଚେତନ କରିବା ସହ ଔଷଧ ବିତରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।