ନୂଆଦିଲ୍ଲୀ: କାନାଡାରେ ଜି-୭ ସମ୍ମିଳନୀକୁ ମଝିରେ ଛାଡି ଆମେରିକା ଫେରି ଆସିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପଙ୍କ ଏମିତି ଆଭିମୁଖ୍ୟ ଦେଖି ଅନୁମାନ କରାଯାଉଥିଲା ଯେ, ଇସ୍ରାଏଲ-ଇରାନ ସଂଘର୍ଷକୁ ନେଇ ସେ ୱାଂଶିଟନ ଫେରି ଯାଇଛନ୍ତି । କିନ୍ତୁ ତାଙ୍କୁ ନେଇ ପ୍ରଚାର ହେଉଥିବା ଏପରି ଖବରକୁ ଟ୍ରମ୍ପ ଗୁଜବ ବୋଲି କହିଛନ୍ତି । ଏଥିପାଇଁ ସେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କୁ କଡା ଶବ୍ଦରେ ସମାଲୋଚନା କରିଛନ୍ତି ।
ଟ୍ରମ୍ପ ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥରେ ପୋଷ୍ଟ କରି ଲେଖିଛନ୍ତି, ପବ୍ଲିସିଟି ପାଇଁ ଇଚ୍ଛୁକ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଭୁଲରେ କହିଛନ୍ତି ଯେ, ମୁଁ କାନାଡାରେ ଜି-୭ ଶିଖର ସମ୍ମିଳନୀ ଛାଡି ଆମେରିକା ଫେରି ଯାଇଛି, ଯଦ୍ୱାରା ଇସ୍ରାଏଲ ଓ ଇରାନ ମଧ୍ୟରେ ଅସ୍ତ୍ରବିରତି ଉପମେ କାମ କରି ପାରିବି । ମାକ୍ରୋନଙ୍କ ଏମିତି ବୟାନ ସଂପୂର୍ଣ୍ଣ ଭୁଲ୍ ଅଟେ ।
ତାଙ୍କୁ ଜଣା ନାହିଁ ଯେ, ମୁଁ କାହିଁକିି ୱାଂଶିଟନ ଫେରି ଆସିଲି । କିନ୍ତୁ ନିଶ୍ଚିତ ଭାବେ ଅସ୍ତ୍ରବିରତି ସହ ଏହାର କୌଣସି ସଂପର୍କ ନାହିଁ । ମୁଁ ଫେରି ଆସିବାର ଅଭିପ୍ରାୟ ତାଠୁ ମଧ୍ୟ ବଡ ରହିଛି । ଜାଣିଶୁଣି ହେଉ କି ଅଜାଣତାରେ ହେଉ ଇମାନୁଏଲ ସର୍ବଦା ଭୁଲ୍ ହିଁ କହିଥାନ୍ତି ବୋଲି ଟ୍ରମ୍ପ କହିଛନ୍ତି ।
ଟ୍ରମ୍ପ ଜି-୭ ସମ୍ମିଳନୀ ସମୟରେ ଗ୍ରୁପର ଗୁରୁତ୍ୱକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ୨୦୧୪ରେ ରୁଷକୁ ଜି-୭ରୁ ବାହାର କରିବା ଭୁଲ୍ ଥିଲା । ଏଥିରେ ହିଁ ଦୁନିଆ ଅସ୍ଥିର ହୋଇଥିଲା । ସେ ଏହା ମଧ୍ୟ ପ୍ରସ୍ତାବ ଦେଇଛନ୍ତି ଯେ, ଚୀନକୁ ମଧ୍ୟ ଜି-୭ରେ ସାମିଲ୍ କରିବା ଉଚିତ୍ ।
ଡୋନାଲ୍ଡ ଟ୍ରମ୍ପ ଇରାନ ଓ ଇସ୍ରାଏଲ ମଧ୍ୟରେ ସଂଘର୍ଷକୁ ନେଇ ମଧ୍ୟ ଏକ ପୋଷ୍ଟ କରିଥିଲେ । ସେ ଲେଖିଥିଲେ, ଇରାନକୁ ନିଜର ଆଣବିକ କାର୍ଯ୍ୟକ୍ରମ ଉପରେ ବିରାମ ଲଗାଇବା ଉଚିତ୍, ନଚେତ ବହୁତ ବିଳମ୍ବ ହୋଇଯିବ । ଇରାନ ପାଇଁ ଶ୍ରେୟସ୍କର ଏହା ଯେ, ଆମେରିକା ସହ ଆଣବିକ ଚୁକ୍ତି କରୁ । ଏଥିରେ ହିଁ ସମସ୍ତଙ୍କ ଉନ୍ନତି ହେବ ବୋଲି ଆମେରିକା ରାଷ୍ଟ୍ରପତି କହିଥିଲେ ।