ନୂଆଦିଲ୍ଲୀ: ଇସ୍ରାଏଲ ଓ ଇରାନ ମଧ୍ୟରେ ଚାଲିଥିବା ଭୀଷଣ ସଂଘର୍ଷରେ ଇସ୍ରାଏଲ ଇରାନକୁ ବଡ ଝଟକା ଦେଇଛି । ଇସ୍ରାଏଲର ରକ୍ଷା ବଳ ମଙ୍ଗଳବାର ଇରାନର ଆଉ ଜଣେ ସୈନ୍ୟ କମାଣ୍ଡରଙ୍କୁ ନିପାତ କରିଥିବା ଦାବି କରିଛି । ନିହତ ହୋଇଥିବା ସେନା କମାଣ୍ଡର ହେଉଛନ୍ତି ଅଲୀ ଶାଦମାନୀ ଇରାନୀ । ସେ ଖାମେନେଇଙ୍କ ଘନିଷ୍ଠ ଥିବା କୁହାଯାଏ । ଉଲ୍ଲେଖନୀୟ ଅଲୀ ଶାଦମାନୀଙ୍କୁ ମାତ୍ର ଚାରି ଦିନ ପୂର୍ବେ ୱାରଟାଇମ ଚିଫ୍ ଅଫ ଷ୍ଟାଫର ଦାୟିତ୍ୱ ମିଳିଥିଲା ।
ଉଙ୍ଗଳବାର ଇସ୍ରାଏଲ ସେନା ଏକ୍ସରେ ପୋଷ୍ଟ କରି ଶାଦମାନୀଙ୍କ ନିପାତ କରିଥିବା ଦାବି କରିଥିଲା । ଇସ୍ରାଏଲ ସେନା ଏକ୍ସରେ ଲେଖିଛନ୍ତି ଯେ, ୫ ଦିନରେ ଦ୍ୱିତୀୟ ଥର ଆଇଡିଏଫ ଇରାନର ସିଡିଏସକୁ ନିପାତ କରିଛି । ଗୁଇନ୍ଦା ସୂଚନା ଆଧାରରେ ଇସ୍ରାଏଲର ବାୟୁ ସେନା ଇରାନର ସବୁଠୁ ବରିଷ୍ଠ ସୈନ୍ୟ ଅଧିକାରୀ ତଥା ଖାମେନେଇଙ୍କ ନିକଟତର ପରାମର୍ଶଦାତା ଅଲୀ ଶାଦମାନୀଙ୍କୁ ତେହରାନରେ ପଶି ନିପାତ କରିଛନ୍ତି ।
ଏହା ପୂର୍ବରୁ ଜୁନ ୧୩ରେ ଅପରେସନ ରାଇଜିଂ ଲାୟନ ଆରମ୍ଭ କରିବା ପରେ ଇସ୍ରାଏଲ ଇରାନର ଅନେକ ପ୍ରମୁଖ ସୈନ୍ୟ କମାଣ୍ଡରଙ୍କ ନିପାତ କରି ସାରିଛି । ଗତ ଦିନରେ ଇସ୍ରାଏଲ ସେନା ମେଜର ଜେନେରାଲ ଘୋଲମ ଅଲୀ ରାଶିଦଙ୍କୁ ମାରିଥିଲା । ଇରାନର ସମାଚାର ଏଜେନ୍ସି ତସମିନ ସମାଚାର ଏଜେନ୍ସିର ରିପୋର୍ଟ ମୁତାବକ ଅଲୀ ଶାଦମାନୀଙ୍କୁ ମେଜର ଜେନେରାଲ ଘୋଲମ ଅଲୀ ରାଶିଦଙ୍କ ସ୍ଥାନରେ ନୂଆ କମାଣ୍ଡର ଭାବେ ନିଯୁକ୍ତ କରାଯାଇଥିଲା । ତେବେ ଇସ୍ରାଏଲର ଦାବି ଉପରେ ଇରାନ ପକ୍ଷରୁ ଏ ପର୍ଯ୍ୟନ୍ତ ଶାଦମାନୀଙ୍କ ମୃତ୍ୟୁକୁ ନେଇ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ ।