ନରସିଂହପୁର ପଶ୍ଚିମ ବନାଞ୍ଚଳ ଅନ୍ତର୍ଗତ ଜୟପୁର ଜଙ୍ଗଲ ଖୋଲ ବିଟ୍ ତାମେରା ନାଳ ନିକଟରେ ଗୁଳି କରି ଦନ୍ତା ମୃତ୍ୟୁ ଘଟଣା । ଏହି ଘଟଣାରେ ବନ ବିଭାଗ ଆଉ ୨ ଜଣଙ୍କୁ ଗିରଫ କରିଛି ।
ଗିରଫ ଅଭିଯୁକ୍ତ ୨ ଜଣ ହେଲେ ନରସିଂହପୁର ଥାନା କାଠଖୁଣ୍ଟ ଗାଁର ବୃଦ୍ଧିମାନ ରାଉତ ଓ ଜୟପୁର ଅନନ୍ତ ପ୍ରସାଦ ଗାଁର ଜଳନ୍ଧର ନାୟକ । ତେବେ ପୂର୍ବରୁ ଏହି ଘଟଣାରେ ୩ ଜଣଙ୍କୁ ମଧ୍ୟ ଗିରଫ କରାଯାଇଥିଲା ।
ସୂଚନା ଅନୁସାରେ, ଜୟପୁର ଜଙ୍ଗଲରେ ଏକ ଦନ୍ତାକୁ ଶିକାରୀମାନେ ଗୁଳି କରିଥିଲେ । ଗୁଳିବିଦ୍ଧ ଅବସ୍ଥାରେ ହାତୀକୁ ବନ ବିଭାଗ ଠାବ କରିଥିଲେ । ପରେ ହାତୀର ଚିକିତ୍ସା ଆରମ୍ଭ ହୋଇଥିଲା । ହେଲେ ଦୀର୍ଘ ୯ ଦିନ ସଂଘର୍ଷ କରିବା ପରେ ହାତୀଟିର ମୃତ୍ୟୁ ହୋଇଥିଲା ।