ବାଲେଶ୍ଵର: ଜାମ୍ମୁ-କାଶ୍ମୀରର ପହଲଗାମରେ ଆଜି ପର୍ଯ୍ୟଟକଙ୍କ ଉପରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଘଟିଛି। ଏଥିରେ ୨୪ରୁ ଅଧିକ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ମୃତକଙ୍କ ମଧ୍ୟରେ ଜଣେ ଓଡ଼ିଆ ସାମିଲ। ମୃତକ ହେଉଛନ୍ତି ବାଲେଶ୍ଵର ଜିଲ୍ଲାର ରେମୁଣାର ପ୍ରଶାନ୍ତ ଶତପଥୀ। ଆତଙ୍କବାଦୀଙ୍କ ଗୁଳିମାଡ଼ରେ ତାଙ୍କର ମୃତ୍ୟୁ ଘଟିଛି।
ସୂଚନା ଅନୁଯାୟୀ, ଗତ ୧୯ ତାରିଖ ଦିନ ପତ୍ନୀ ପ୍ରିୟଦର୍ଶିନୀ ଆଚାର୍ଯ୍ୟ ଓ ପୁଅ ତନୁଜଙ୍କୁ ନେଇ ଜମ୍ମୁ କଶ୍ମୀର ବୁଲିବାକୁ ଯାଇଥିଲେ। ଆଜି ସେଠାରେ ପୁଅ ଓ ପତ୍ନୀଙ୍କ ସହିତ ବୁଲୁଥିବା ବେଳେ ଆତଙ୍କବାଦୀମାନେ ପର୍ଯ୍ୟଟକମାନଙ୍କ ଉପରେ ଅତର୍କିତ ଭାବେ ଗୁଳି ଚଳାଇଥିଲେ। ସେ ବାଲେଶ୍ବର CIPETର କର୍ମଚାରୀ । ଦୁଇଦିନ ତଲେ ସେ ତାଙ୍କ ପତ୍ନୀ ଓ ପୁଅଙ୍କ ସହ କାଶ୍ମୀର ବୁଲିବା ପାଇଁ ଯାଇଥିଲେ।
ଆତଙ୍କବାଦୀଙ୍କ ଆକ୍ରମଣ ନେଇ ପ୍ରିୟଦର୍ଶିନୀ ଗଣମାଧ୍ୟମକୁ କହିଛନ୍ତି, ଆଜି ଅପରାହ୍ଣ ପ୍ରାୟ ସାଢ଼େ ୨ଟାରୁ ୩ଟା ଭିତରେ ସେମାନେ ପହଲଗାମରେ ବୁଲୁଥିଲେ। ସାଢେ ୧୨ଟାରେ ଆମେ ଉପରକୁ ଯାଇଥିଲୁ। ସେଠାରେ ଆମ ମା-ପୁଅର ରୋପ ଓ୍ଵେ ସରି ସାରିଥିଲା। ସ୍ଵାମୀ ନିଜର ରୋପଓ୍ଵେ ଜଷ୍ଟ ସାରି ତଳକୁ ଓହ୍ଲାଉଥିଲେ ଏବଂ ଆମେ ତଳକୁ ଆସୁଥିଲୁ। ଏହି ସମୟରେ ଆତଙ୍କବାଦୀମାନେ ଗୁଳିମାଡ଼ କରିଥିଲେ। ଆତଙ୍କବାଦୀଙ୍କର ଗୁଳି ମୋ ସ୍ବାମୀଙ୍କ ମୁଣ୍ଡରେ ବାଜିଥିଲା। ସହାୟତା ପାଇଁ ଚିତ୍କାର କରୁଥିଲି। ପ୍ରାୟ ଦେଢ଼ ଘଣ୍ଟା ପରେ ଘଟଣାସ୍ଥଳରେ ଯବାନମାନେ ପହଞ୍ଚି ଥିଲେ।
ଏହି ଆତଙ୍କୀ ଆକ୍ରମଣ ଘଟଣାରେ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଦିଲ୍ଲୀରେ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସେ କାଶ୍ମୀରରେ ପହଞ୍ଚିଛନ୍ତି। ଏହି ଘଟଣାର ଏନଆଇଏ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତାକାଲି ସକାଳେ ଏନଆଇଏ ଦଳ ପହଲଗାମ ପହଞ୍ଚିବେ।