କେନ୍ଦ୍ରୀୟ ଯୋଜନା କାର୍ଯ୍ୟକାରୀ କରିବାରେ ରାଜ୍ୟ ବିଫଳ । ଭୁଲ ସୂଚନା ଆଧାରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବିଜେପିକୁ ଅଯଥାରେ ଟାର୍ଗେଟ୍ କରୁଛି ବିଜେଡି । ସମ୍ବଲପୁର ଜିଲ୍ଲା ବିଜେପି ପକ୍ଷରୁ ଆୟୋଜିତ ଏକ ପ୍ରେସ୍ମିଟ୍ରେ ଏନେଇ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲାର ବରିଷ୍ଠ ବିଜେପି ନେତା ଡ. ପ୍ରମୋ ରଥ ଓ ରାଜ୍ୟ ବିଜେପିର ପେନାଲିଷ୍ଟ ମାନଓ ବକ୍ସି । ଡ. ରଥ କହିଛନ୍ତି ରାଜ୍ୟ ସରକାର ସମସ୍ତ କେନ୍ଦ୍ରୀୟ ଯୋଜନା କାର୍ଯ୍ୟକାରୀ କରିବାରେ ଅଯଥା ବିଳମ୍ବ କରୁଛନ୍ତି । କେନ୍ଦ୍ର ଯୋଜନା ପାଇଁ ଅର୍ଥ ଦେଉଛି । କିନ୍ତୁ ଜମି ଯୋଗାଇବା କ୍ଷେତ୍ରରେ ରାଜ୍ୟ ବିଳମ୍ବ କରୁଛି ।
ଏଣେ ଦୋଷ ଲଦୁଛି କେନ୍ଦ୍ର ଉପରେ । ବିଗତ ୨ ଦିନ ହେଲା ଲୋକଙ୍କୁ ଭୁଲ ତଥ୍ୟ ଦେଇ ବିଜେଡି କିପରି କେନ୍ଦ୍ରମନ୍ତ୍ରୀ ଓ ବିଜେପିକୁ ବଦନାମ କରିବାକୁ ଅଯଥା ଟାର୍ଗେଟ୍ କରିଛି ତାର ତଥ୍ୟ ରଖିଥିଲେ ଉଭୟ ନେତା । ଦେବଗଡ଼ରେ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଗତ ଜାନୁଆରି ୧୩ ତାରିଖରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଶିଳାନ୍ୟାସ କରିଛନ୍ତି । ସେଠାରେ ରାଜ୍ୟ ସରକାର ଜମି ଦେବାରେ ବିଳମ୍ବ କରିଥିଲେ । ମହାନଦୀରେ ରାଜ୍ୟ ସରକାର ଏକ ବ୍ୟାରେଜ୍ ନିର୍ମାଣ କରିପାରିଲେ ନାହିଁ ।
ତେଣୁ ମହାନଦୀ ପାଣିକୁ ସଂରକ୍ଷିତ ରଖାଯାଇ ପାରୁନାହିଁ । ୫୫ ନମ୍ବର ଜାତୀୟ ରାଜପଥ ପାଇଁ ମଧ୍ୟ ଜଙ୍ଗଲ ଜମିକୁ ଠିକଣା ସମୟରେ ରାଜ୍ୟ ହସ୍ତାନ୍ତର କରି ପାରିଲା ନାହିଁ । ତଥାପି ସେହି ଜାତୀୟ ରାଜପଥ କାମ ୯୫ ପ୍ରତିଶତ ଶେଷ ହେଲାଣି । ତେଣୁ ଏସବୁ ପ୍ରକଳ୍ପରେ ବିଳମ୍ବ ପାଇଁ ରାଜ୍ୟ ସରକାର ହିଁ ଦାୟୀ ବୋଲି ଡ. ରଥ କହିଥିଲେ । ବିଜେଡିର ଏପରି ଅମୂଳକ ଅଭିଯୋଗକୁ ସମ୍ବଲପୁରବାସୀ ତଥା ରାଜ୍ୟବାସୀ ଠିକ୍ ଭାବେ ବୁଝି ସାରିଛନ୍ତି ବୋଲି ସେ ସ୍ପଷ୍ଟ କରିଥିଲେ ।
ଅଧିକ ପଢନ୍ତୁ :ଆକାଉଣ୍ଟରୁ ୯ କୋଟିରୁ ଉର୍ଦ୍ଧ ଟଙ୍କା ଗାଏବ