ଚିଲିକା : ଟ୍ରାକର ସହାୟତାରେ ବିଦେଶୀ ପକ୍ଷୀଙ୍କ ଉପରେ ରହିବ ନଜର। ପ୍ରତିବର୍ଷ ଏହି ପକ୍ଷୀ ଚିଲିକାକୁ କେଉଁଠାରୁ ଆସୁଛନ୍ତି ଓ କେଉଁ ବାଟ ଦେଇ ଫେରୁଛନ୍ତି ସେହି ବିଷୟରେ ଜାଣିବା ପାଇଁ ବନ ବିଭାଗ ଯୋଜନା କରିଛି। ସେଥିପାଇଁ ଦୁଇଟି ଫ୍ଲେମିଙ୍ଗୋ ପକ୍ଷୀ ଦେହରେ ସୌରଶକ୍ତି ଚାଳିତ ଟ୍ରାକର ଲଗାଇଲା ବନବିଭାଗ। ଚିଲିକା ନଳବଣକୁ ଆସିଥିବା ଗ୍ରେଟର ଫ୍ଲେମିଙ୍ଗୋଙ୍କୁ ଧରି ସେମାନଙ୍କ ଗୋଡ଼ରେ ଜିଏସ୍ଏମ୍-ଜିପିଏସ୍ ରିଙ୍ଗ୍ ଟ୍ୟାଗିଂ ଆରମ୍ଭ କରାଯାଇଛି।
ଭାରତୀୟ ବନ୍ୟଜୀବ ସଂସ୍ଥାନର ବରିଷ୍ଠ ବୈଜ୍ଞାନିକ ଡକ୍ଟର ଆର. ସୁରେଶ କୁମାରଙ୍କ ନେତୃତ୍ୱରେ ଗତ ଦୁଇଦିନରେ ଚିଲିକାର ନଳବଣରୁ ଦୁଇଟି ଗ୍ରେଟର୍ ଫ୍ଲାମିଂଗୋକୁ ସଫଳତାର ସହ ଧରି ଟ୍ୟାଗ୍ କରାଯାଇଛି।ଦୁଇଟି ଫ୍ଲେମିଙ୍ଗୋକୁ ୩୦ଗ୍ରାମ୍ ଓଜନର ଏକ ସୌରଚାଳିତ ଟ୍ରାନ୍ସମିଟର ସହିତ ଟ୍ୟାଗ୍ କରାଯାଇଛି। ଯାହା ପ୍ରତି ୧୦ମିନିଟ୍ରେ ପକ୍ଷୀମାନଙ୍କ ଉପସ୍ଥିତି ରେକର୍ଡ କରିବ। ଏହି ଉପକରଣଟି ଶୀତ ଋତୁରେ ଫ୍ଲେମିଙ୍ଗୋମାନଙ୍କର ଚିଲିକା ଜଳରାଶି ଆଭ୍ୟନ୍ତରୀଣ ଚଳପ୍ରଚଳ ଓ ବ୍ୟବହାରକୁ ରେକର୍ଡ କରିବ ଏବଂ ବନ ବିଭାଗକୁ ଏହି ପକ୍ଷୀମାନଙ୍କ ବିଷୟରେ ଅଧିକ ତଥ୍ୟ ଯୋଗାଇ ପାରିବ।