ବାରିପଦା : ଶିମିଳିପାଳରୁ ୪ଜଣ ଶିକାରୀଙ୍କୁ ଏସଟିଏଫ ଗିରଫ କରିଛି । ଏହାସହିତ ସେମାନେ ଶିକାର ଉଦ୍ଦେଶ୍ୟରେ ଆଣିଥିବା ବନ୍ଧୁକ ଜବତ ହୋଇଛି।
ସୂଚନା ଅନୁଯାୟୀ ଜଙ୍ଗଲରେ ଶିକାରୀଙ୍କୁ ଧରିବାକୁ ଯାଇଥିଲା ବନ ବିଭାଗ ହେଲେ ଚଢ଼ାଉ ସମୟରେ ବନ ବିଭାଗ ଉପରକୁ ଦୁଇ ରାଉଣ୍ଡ ଗୁଳି ଚାଳନା କରିଲେ ଶିକାରୀ। ଯାହାର ଜବାବରେ ବନ ବିଭାଗ ଏବଂ ଏସଟିପିଏଫ ମଧ୍ୟ ଫାଙ୍କା ଗୁଳି ଚାଳନା କରିଥିଲେ। ମୟୂରଭଞ୍ଜ ପୋଡାଡିହା ରେଞ୍ଜ ମନଭଙ୍ଗା ବିଟ ଅଞ୍ଚଳରେ ଚଢ଼ାଉ ସମୟରେ ଘଟିଛି ଏଭଳି ଘଟଣା।
ରବିବାର ରାତିରେ ପୋଡାଡିହା ବନ ବିଭାଗ ଏବଂ ଏସଟିପିଏଫ ମିଳିତ ଭାବେ ମନଭଙ୍ଗା ବିଟ ଅଞ୍ଚଳରେ ଚଢ଼ାଉ କରିଥିବା ବେଳେ ୬ ଜଣ ଶିକାରୀ ଜଙ୍ଗଲ ଭିତରେ ରୋଷେଇ କରୁଥିବା ଦେଖିବାକୁ ପାଇଥିଲେ। ତେବେ ବନ ବିଭାଗକୁ ଦେଖି ଶିକାରୀମାନେ ତାଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳି ଚାଳନା କରି ଖସି ଯିବାକୁ ଚେଷ୍ଟା କରିଥିଲେ। ଏହାର ଜବାବରେ ଏସଟିପିଏଫ ମଧ୍ୟ ଫାଙ୍କା ଗୁଳିଚାଳନା କରିଥିଲେ। ତେବେ ଘଟଣା ସ୍ଥଳରୁ ଜଣେ ଶିକାରୀ ଏବଂ ଗୋଟିଏ ଦେଶୀ ବନ୍ଧୁକ ଜବତ କରିଥିବା ବେଳେ ଅନ୍ୟମାନେ ଖସି ଯାଇଥିଲେ। ଗିରଫ ଶିକାରୀକୁ ପଚରା ଉଚରା କରିବା ପରେ ଅଶ୍ୱକୁଟି ଅଞ୍ଚଳରେ ଚଢ଼ାଉ କରି ଅନ୍ୟ ୩ ଜଣ ଶିକାରୀ ଏବଂ ଜଙ୍ଗଲରେ ଲୁଚାଇ ରଖିଥିବା ୪ ବନ୍ଧୁକ ଜବତ ହୋଇଥିବା ବେଳେ ଆଉ ୨ ଶିକାରୀ ଏବେ ବି ଫେରାର ରହିଛନ୍ତି। ଗିରଫ ୪ ଶିକାରୀ ମାନେ ହେଲେ ଅଶ୍ୱକୁଟି ଗ୍ରାମର ଗାନସା ସିଂ, ବରଜୁ ସିଂ, ଗୁରା ସିଂ ବାଂକ୍ଷୀରା , କାର୍ତ୍ତିକ ସିଂ ବାଂକ୍ଷୀରା।