ଭୁବନେଶ୍ୱର : ରାଜ୍ୟରେ ଧୀରେ ଧୀରେ କମିବ ଶୀତ ଆଉ ବଢିବ ରାତି ତାପମାତ୍ରା । ଆସନ୍ତା ଦୁଇ ଦିନରେ ରାତିରେ ପାରଦ ଆଉ ୨ରୁ ୩ ଡିଗ୍ରୀ ବଢ଼ିବ। ଏହାପରେ ପୁଣି ୩ ଡିଗ୍ରୀ ଖସିଯିବ । ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ଏଭଳି ପୂର୍ବାନୁମାନ କରିଛି। ସୋମବାର ୪ ସହରର ଦିନ ତାପମାତ୍ରା ୩୫ ଡିଗ୍ରୀ ଟପିଛି। ଅଧିକାଂଶ ସ୍ଥାନରେ ରାତିବେଳା ପାରଦ ବି ଉପରମୁହାଁ ହେଉଛି । ପାରାଦୀପରେ ୨୦.୪ ଓ ପୁରୀରେ ୨୨.୬ ଡିଗ୍ରୀ ସେଲସିୟସ୍ ରହିଥିଲା ।
ତାତିରୁ ମିଳିବ ତ୍ରାହୀ :
ଗତ କିଛି ଦିନ ଧରି ଭୀଷଣ ଗରମ ଅନୁଭୂତ ହେଉଥିବାବେଳେ ବର୍ତ୍ତମାନ ରାଜ୍ୟରେ ତଳମୁହାଁ ପାରଦ । ୨ ଦିନ ପରେ ଆହୁରି କମିପାରେ ତାତି । ୨ ରୁ ୪ ଡିଗ୍ରୀ ଖସିପାରେ ପାରଦ । ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଫଳରେ ଆଗାମୀ ୫ ଦିନ ଯାଏଁ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିବ । ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି, "ଉପକୂଳ ଜିଲ୍ଲାମାନଙ୍କରେ ସର୍ବାଧିକ ତାପମାତ୍ରା ସ୍ଵାଭାବିକ ରହିଛି । ସେହିପରି ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ଵାଭାବିକ ତାପମାତ୍ରାରୁ ୨ରୁ ୫ ଡିଗ୍ରୀ ଅଧିକ ରହିଛି ।" ସେପଟେ ବର୍ତ୍ତମାନ ରାଜ୍ୟରେ ଘନ କୁହୁଡିକୁ ନେଇ କୌଣସି ସତର୍କ ସୂଚନା ନାହିଁ । ଆଗାମୀ ୩ ଦିନ ଯାଏଁ ରାଜ୍ୟର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଦୃଶ୍ୟମାନ ହେବ।"
ସୂଚନାନୁଯାୟୀ, ସୋମବାର ଝାରସୁଗୁଡ଼ାରେ ଦିନ ତାପମାତ୍ରା ୩୫.୬ ଡିଗ୍ରୀ ଥିଲା । ସୁନ୍ଦରଗଡ଼ରେ ୩୫.୪, ବଲାଙ୍ଗୀର ଓ ପାରଳାଖେମୁଣ୍ଡିରେ ୩୫.୨, ଅନୁଗୁଳରେ ୩୪.୭, ସୋନପୁରରେ ୩୪.୫, ହୀରାକୁଦରେ ୩୪.୧, ନୂଆପଡ଼ାରେ ୩୪, ଭଦ୍ରକ ଓ ଢେଙ୍କାନାଳରେ ୩୩.୮, ନବରଙ୍ଗପୁରରେ ୩୩.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଫୁଲବାଣୀରେ ରାତି ତାପମାତ୍ରା ସବୁଠୁ କମ୍ ୯.୫ ଡିଗ୍ରୀ ରେକର୍ଡ ହୋଇଛି । ରାଉରକେଲାରେ ୯.୬, ଝାରସୁଗୁଡ଼ାରେ ୧୦.୨, ଅନୁଗୁଳ ଓ ଭବାନୀପାଟଣାରେ ୧୨, କେନ୍ଦୁଝରରେ ୧୩.୧, ହୀରାକୁଦରେ ୧୩.୩ ଓ ସୋନପୁରରେ ୧୩ ଡିଗ୍ରୀ ରେକର୍ଡ ହୋଇଥିଲା ।