ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି-୨୦୨୫ ପାଇଁ ବିସିସିଆଇ ଭାରତର ଚୂଡ଼ାନ୍ତ ଦଳ ଘୋଷଣା କରିଛି। ଆହତ କାରଣରୁ ଯଶପ୍ରୀତ ବୁମରା ଚାମ୍ପିୟନ୍ସ ଟ୍ରଫିରେ ଖେଳିପାରିବେ ନାହିଁ ବୋଲି ଖବର ମିଳିବା ପରେ ଟିମ୍ ଇଣ୍ଡିଆକୁ ବଡ଼ ଝଟକା ଲାଗିଛି। ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାର ମାତ୍ର ଗୋଟିଏ ସପ୍ତାହ ପୂର୍ବରୁ ଏହି ଖବର ଆସିଛି। ଜଣେ ଦ୍ରୁତବୋଲର ଭାବେ ହର୍ଷିତ ରାଣାଙ୍କୁ ଦଳରେ ସାମିଲ କରାଯାଇଛି। ବୁମରାଙ୍କ ବ୍ୟତୀତ ଯଶସ୍ୱୀ ଜୟସ୍ୱାଲଙ୍କୁ ମଧ୍ୟ ଦଳରୁ ବାଦ୍ ଦିଆଯାଇଛି। ଜୟସ୍ୱାଲଙ୍କ ସ୍ଥାନରେ ବରୁଣ ଚକ୍ରବର୍ତ୍ତୀଙ୍କୁ ସାମିଲ କରାଯାଇଛି। ବୁମରାଙ୍କ ଅନୁପସ୍ଥିତିକୁ ନେଇ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି।
ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର, କୋଚ୍ ଗୌତମ ଗମ୍ଭୀର ଏବଂ ଅଧିନାୟକ ରୋହିତ ଶର୍ମାଙ୍କ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫିରୁ ଯଶପ୍ରୀତ ବୁମରାଙ୍କ ବାଦ୍ ପଡ଼ିବା ନେଇ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। ବିସିସିଆଇସୂତ୍ରରୁ ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁଯାୟୀ, ଏନସିଏ ମୁଖ୍ୟ ନୀତିନ ପଟେଲ ପଠାଇଥିବା ରିପୋର୍ଟରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ବୁମରା ତାଙ୍କ ପୁନର୍ବାସ ଶେଷ କରିସାରିଛନ୍ତି ଏବଂ ସ୍କାନ୍ ରିପୋର୍ଟ ଠିକ୍ ଲାଗୁଛି, କିନ୍ତୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ବେଳକୁ ସେ ବୋଲିଂ ପାଇଁ ଫିଟ୍ ହେବେ କି ନାହିଁ ତାହା ନିର୍ଣ୍ଣୟ କରାଯାଇପାରିବ ନାହିଁ। ତେଣୁ ଚୟନକର୍ତ୍ତାମାନେ କୌଣସି ରିସ୍କ ନେଇନଥିଲେ।
ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବୁମରାଙ୍କୁ ୫ ସପ୍ତାହ ପାଇଁ ଅଫ୍ ଲୋଡ୍ କରିବାକୁ କୁହାଯାଇଛି। ନିତିନ ଅଜିତ ଅଗରକରଙ୍କ କୋର୍ଟରେ ବଲ୍ ଛାଡିଛନ୍ତି, ତେଣୁ ଜଣେ ଅଯୋଗ୍ୟ ଖେଳାଳିଙ୍କୁ ଦଳରେ ରଖିବାର ବିପଦ କେହି ନେବାକୁ ଚାହିଁବେ ନାହିଁ। ଯଦି ଡାକ୍ତରୀ ଦଳ ସମ୍ପୂର୍ଣ୍ଣ ସବୁଜ ସଙ୍କେତ ନ ଦିଅନ୍ତି, ତେବେ ଚୟନ କମିଟି କିପରି ସେହି ବିପଦ ନେଇପାରେ? ଅହମ୍ମଦାବାଦରେ ଅଗରକର, ଗମ୍ଭୀର ଏବଂ ଅଧିନାୟକ ରୋହିତଙ୍କ ମଧ୍ୟରେ ହୋଇଥିବା ବୈଠକରେ ସେମାନେ ଅନଫିଟ୍ ବୁମ୍ରାଙ୍କୁ ଚାମ୍ପିୟନ୍ସ ଟ୍ରଫି ପାଇଁ ନେବେ ନା ହର୍ଷିତ ରାଣାଙ୍କୁ ବାଛିବେ ସେ ନେଇ ଆଲୋଚନା ହୋଇଥିଲା।
ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ (ଉପଅଧିନାୟକ), ବିରାଟ କୋହଲି, ଶ୍ରେୟସ ଆୟର, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ହର୍ଷିତ ରାଣା, ମହମ୍ମଦ ସାମି, ଅର୍ଶଦୀପ ସିଂହ, କେଏଲ ରାହୁଲ (ୱିକେଟକିପର), ଋଷଭ ପନ୍ତ (ୱିକେଟରକ୍ଷକ), ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ବରୁଣ ଚକ୍ରବର୍ତ୍ତୀ।
ଅଧିକ ପଢ଼ନ୍ତୁ: ‘ଗୌତମ ଗମ୍ଭୀର ଆପଣ କେଏଲ ରାହୁଲଙ୍କ ସହ ଯାହା କରୁଛନ୍ତି ତାହା ଠିକ୍ ନୁହେଁ’