ମୁମ୍ବାଇ: ମହାରାଷ୍ଟ୍ରରେ ଗୁଇଲେନ୍-ବାରେ ସିଣ୍ଡ୍ରୋମ୍ (ଜିବିଏସ୍) ରୋଗ ବ୍ୟାପିଛି। ପୁଣେ ପରେ ଏବେ ମୁମ୍ବାଇରେ ଜିବିଏସରେ ପ୍ରଥମ ମୃତ୍ୟୁ ଖବର ଆସିଛି। ଫଳରେ ମହାରାଷ୍ଟ୍ରରେ ଜିବିଏସ୍ ଜନିତ ମୃତ୍ୟୁ ସଂଖ୍ୟା ୮ରେ ପହଞ୍ଚିଛି।
ଏକ ଘରୋଇ ଡାକ୍ତରଖାନାରେ ଭେଣ୍ଟିଲେଟରରେ ଥିବା ଜଣେ ୫୩ ବର୍ଷୀୟ ରୋଗୀଙ୍କ ମୃତ୍ୟୁ ଘଟିଛି। ୱାଡାଲାରେ ରହୁଥିବା ଏହି ୫୩ ବର୍ଷୀୟ ରୋଗୀ ବିଏମ୍ସିର ବିଏନ୍ ଦେଶାଇ ହସ୍ପିଟାଲରେ ୱାର୍ଡ ବୟ ଭାବେ କାର୍ଯ୍ୟ କରୁଥିଲେ। ନାୟାର ହସ୍ପିଟାଲର ଡିନ୍ ଡାକ୍ତର ଶୈଳେଶ ମୋହିତେଙ୍କ କହିବାନୁଯାୟୀ, ରୋଗୀ ଜଣକ କିଛି ଦିନ ହେବ ଅସୁସ୍ଥ ଥିଲେ ଏବଂ ଅନେକ ଦିନ ଧରି ଚିକିତ୍ସିତ ହେଉଥିଲେ। ଜିବିଏସ୍ରେ ପୀଡ଼ିତ ଜଣେ ୧୬ ବର୍ଷୀୟା ନାବାଳିକା ମଧ୍ୟ ସେହି ନାୟାର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହି ରୋଗୀ ପାଲଘରର ଏବଂ ଦଶମ ଶ୍ରେଣୀରେ ପଢୁଛନ୍ତି।
ପୁଣେ ଅଞ୍ଚଳରେ ଗୁଇଲେନ୍-ବାରେ ସିଣ୍ଡ୍ରୋମ୍ ର ସନ୍ଦିଗ୍ଧ ଏବଂ ନିଶ୍ଚିତ ରୋଗୀଙ୍କ ସଂଖ୍ୟା ୧୯୭ରେ ପହଞ୍ଚିଛି ବୋଲି ମଙ୍ଗଳବାର ସ୍ୱାସ୍ଥ୍ୟ ବିଭାଗ ଅଧିକାରୀମାନେ ସୂଚନା ଦେଇଛନ୍ତି। ଏହି ସ୍ନାୟୁ ବିକୃତିର ଆଉ ୫ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ପୁଣେରେ ୫ ଜଣ ରୋଗୀଙ୍କ ମଧ୍ୟରୁ ୨ ଟି ନୂଆ ମାମଲା ଏବଂ ୩ ଟି ପୂର୍ବ ଦିନର ମାମଲା ରହିଛି।
ଅଧିକ ପଢ଼ନ୍ତୁ: ଲକ୍ଷ୍ନୌରେ ରାମମନ୍ଦିରର ମୁଖ୍ୟ ପୂଜକଙ୍କ ଦେହାନ୍ତ