ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ଫ୍ରାନ୍ସ ଗସ୍ତ ଶେଷ ହୋଇଛି। ଏହି ସମୟରେ ସେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ସହ ରାତ୍ରୀ ଭୋଜନ କରିଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ମୋଦୀ ଏଆଇ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ, ଯେଉଁଠାରେ ବିଭିନ୍ନ ଦେଶର ବହୁ ପ୍ରମୁଖ ନେତା ମଧ୍ୟ ଉପସ୍ଥିତ ଥିଲେ। ଏବେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଗୁଗଲ ସିଇଓ ସୁନ୍ଦର ପିଚାଇଙ୍କ ମଧ୍ୟରେ ଏକ ବୈଠକ ହୋଇଛି।
ପ୍ୟାରିସରେ ଏଆଇ ଆକ୍ସନ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତ ପରେ ସୁନ୍ଦର ପିଚାଇ କହିଛନ୍ତି, ଏଆଇ ଭାରତ ପାଇଁ ଅବିଶ୍ୱସନୀୟ ସୁଯୋଗ ଆଣିଛି। ଦେଶର ଡିଜିଟାଲ ରୂପାନ୍ତରଣକୁ ଆଗେଇ ନେବା ପାଇଁ ଗୁଗଲ ଏବଂ ଭାରତ ମଧ୍ୟରେ ଗଭୀର ସହଯୋଗ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଆଲୋଚନା ହୋଇଥିବା ସେ ଉଲ୍ଲେଖ କରିଛନ୍ତି।
ଗୁଗୁଲର ସିଇଓ ସୁନ୍ଦର ପିଚାଇ କହିଛନ୍ତି, ଏଆଇ ଆକ୍ସନ ଶିଖର ସମ୍ମିଳନୀରେ ଆଜି ପ୍ୟାରିସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଯୋଗ ଦେବା ଏକ ଆନନ୍ଦର ବିଷୟ। ଏଆଇ ଭାରତକୁ ଆଣିଥିବା ଅବିଶ୍ୱସନୀୟ ସୁଯୋଗ ଏବଂ ଭାରତର ଡିଜିଟାଲ୍ ରୂପାନ୍ତରଣରେ ସହଯୋଗ କରିବାର ଉପାୟ ବିଷୟରେ ଆମେ ଆଲୋଚନା କରିଛୁ।
ଏଆଇ ଆକ୍ସନ ଶିଖର ସମ୍ମିଳନୀ ପୂର୍ବରୁ ପ୍ୟାରିସରେ ଭାରତ-ଫ୍ରାନ୍ସ ସିଇଓ ଫୋରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଏହି ପ୍ଲାଟଫର୍ମ ଅର୍ଥନୈତିକ ସମ୍ପର୍କକୁ ସୁଦୃଢ଼ କରିବା ଏବଂ ଉଦ୍ଭାବନକୁ ପ୍ରୋତ୍ସାହିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଭବିଷ୍ୟତ ପିଢ଼ି ପାଇଁ ଅଭିବୃଦ୍ଧି ଓ ପୁଞ୍ଜିନିବେଶକୁ ପ୍ରୋତ୍ସାହିତ କରିବ ବୋଲି ବିଶ୍ୱାସ କରି ଭାରତ ଏବଂ ଫ୍ରାନ୍ସର ବ୍ୟବସାୟୀ ନେତାମାନେ ପ୍ରମୁଖ କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି କରିବା ପାଇଁ ଏକାଠି ହେଉଛନ୍ତି ବୋଲି ସେ ଉଲ୍ଲେଖ କରିଥିଲେ।
ଅଧିକ ପଢ଼ନ୍ତୁ: ପ୍ରୟାଗରାଜ କୁମ୍ଭମେଳା ଯୋଗୁଁ କାଶୀରେ ଶ୍ରଦ୍ଧାଳୁଙ୍କ ଭିଡ଼