ନୂଆଦିଲ୍ଲୀ: ପର୍ବପର୍ବାଣୀ ସମୟରେ ଏୟାରଲାଇନ୍ସ ଗୁଡ଼ିକ ସେମାନଙ୍କ ଟିକେଟ୍ ଦର ବଢ଼ାଇଥାଆନ୍ତି ଏବଂ ଏଥର ପ୍ରୟାଗରାଜରେ ମହାକୁମ୍ଭ ମେଳା ଅନୁଷ୍ଠିତ ହେଉଥିବା ଦେଖିବାକୁ ମିଳୁଛି। ଆଶ୍ଚର୍ଯ୍ୟର କଥା ହେଉଛି ପ୍ରୟାଗରାଜ କୁମ୍ଭକୁ ଯିବା ଅପେକ୍ଷା ଲଣ୍ଡନକୁ ଅନ୍ତର୍ଜାତୀୟ ବିମାନ ଚଳାଚଳ ପାଇଁ ଭଡ଼ା ଶସ୍ତା ହୋଇଛି। ବର୍ତ୍ତମାନ ଦିଲ୍ଲୀରୁ ପ୍ରୟାଗରାଜ କୁ ଟିକେଟ ମୂଲ୍ୟ ୧୩,୦୦୦ରୁ ୮୦,୦୦୦ ଟଙ୍କା ମଧ୍ୟରେ ପହଞ୍ଚିଛି। ଲଣ୍ଡନକୁ ଏକତରଫା ଟିକେଟ ତୁଳନାରେ ଏହା ଅଧିକ ମହଙ୍ଗା ହୋଇଛି, ଯାହା କି ୩୧,୩୪୨ ଟଙ୍କା।
ସାଧାରଣ ଦିନରେ ଦିଲ୍ଲୀରୁ ପ୍ରୟାଗରାଜ ଯିବା ପାଇଁ ମାତ୍ର ୩ରୁ ୫ ହଜାର ଟଙ୍କା ଖର୍ଚ୍ଚ ହେଉଥିଲା, କିନ୍ତୁ ଏବେ ଲୋକଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ୁଛି। କିଛି ଦିନ ତଳେ ଚେନ୍ନାଇରୁ ପ୍ରୟାଗରାଜକୁ ଏକତରଫା ଟିକେଟର ମୂଲ୍ୟ ୭୦,୯୯୬ ଟଙ୍କା ଥିଲା। ମୁମ୍ବାଇ, ଚେନ୍ନାଇ, କୋଲକାତା ଏବଂ ବେଙ୍ଗାଲୁରୁ ଭଳି ଅନ୍ୟ ପ୍ରମୁଖ ସହରରେ ମଧ୍ୟ ସମାନ ସ୍ଥିତି ରହିଛି, ଯେଉଁଠାରେ ମୁଖ୍ୟ ପବିତ୍ର ସ୍ନାନ ଦିବସରେ ପ୍ରୟାଗରାଜକୁ ଟିକେଟ୍ ମୂଲ୍ୟ ୧୮,୦୦୦ରୁ ୪୧,୧୦୬ ଟଙ୍କା ମଧ୍ୟରେ ରହିଛି।
ସୋମବାର ରାଜ୍ୟସଭାରେ ବିମାନ ଭଡ଼ାରେ ଅଭୂତପୂର୍ବ ବୃଦ୍ଧି ପ୍ରସଙ୍ଗ ଉଠିଥିବା ବେଳେ ସଦସ୍ୟମାନେ ଏହାକୁ ସାଧାରଣ ଦିନରେ ଲଣ୍ଡନକୁ ଭଡ଼ା ସହ ତୁଳନା କରିଛନ୍ତି। ସେମାନେ କହିଛନ୍ତି ଯେ ଏପର୍ଯ୍ୟନ୍ତ ଲୋକଙ୍କୁ ଘରୋଇ ଯାତ୍ରା ପାଇଁ ଏତେ ଟଙ୍କା ଦେବାକୁ ପଡୁନଥିଲା। କଂଗ୍ରେସ ସାଂସଦ ପ୍ରମୋଦ ତିୱାରୀ ପ୍ରଶ୍ନକାଳରେ ଏକ ସପ୍ଲିମେଣ୍ଟାରୀ ପ୍ରଶ୍ନରେ କହିଛନ୍ତି ଯେ ଲଣ୍ଡନ ଟିକେଟ ପାଇଁ ୨୪,୦୦୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଚେନ୍ନାଇରୁ ପ୍ରୟାଗରାଜକୁ ଟିକେଟ ମୂଲ୍ୟ ୫୩,୦୦୦ ଟଙ୍କା ଏବଂ ବେଙ୍ଗାଲୁରୁରୁ ୫୧,୦୦୦ ଟଙ୍କା ରହିଛି।
ଏହାକୁ ରୋକିବା ପାଇଁ ସରକାର କ'ଣ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ ପ୍ରତିକ୍ରିୟା ଦେବା ପୂର୍ବରୁ ଅଧ୍ୟକ୍ଷ ଜଗଦୀପ ଧନଖର ହସ୍ତକ୍ଷେପ କରି କହିଥିଲେ ଯେ ଏହା ପ୍ରୟାଗରାଜର ଗୁରୁତ୍ୱକୁ ପ୍ରତିଫଳିତ କରୁଛି। ବର୍ତ୍ତମାନର କୁମ୍ଭମେଳା ୧୪୪ ବର୍ଷ ପରେ ଆସିଛି ଏବଂ ସମସ୍ତେ ପ୍ରୟାଗରାଜ ଯିବାକୁ ଚାହୁଁଛନ୍ତି।
ଅଧିକ ପଢ଼ନ୍ତୁ: ତ୍ରିବେଣୀ ସଂଗମରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼