ଆଜି ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀରେ ସଶସ୍ତ୍ର ପୋଲିସ ସବ୍ ଇନ୍ସପେକ୍ଟର ମାନଙ୍କ ପାସିଙ୍ଗ ଆଉଟ୍ ପ୍ୟାରେଡରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପୋଲିସ ବାହିନୀକୁ ପରାମର୍ଶ ଦେଇଛନ୍ତି । ୧୧୩ ଜଣ ସଶସ୍ତ୍ର ପୋଲିସ ସବ୍ ଇନ୍ସପେକ୍ଟରଙ୍କ ପ୍ରଷିକ୍ଷଣ ସଂପୂର୍ଣ୍ଣ ହୋଇଛି ଏବଂ ସେମାନେ ଖୁବ ଶୀଘ୍ର କାର୍ଯ୍ୟରେ ଯୋଗ ଦେବେ ।
ଏହି ଅବସରରେ ନିଜର ଅଭିଭାଷଣ ରଖି ସେ ସମସ୍ତ ଶିକ୍ଷାନବିଶ ଓ ସମସ୍ତ ପୋଲିସ ଅଧିକାରୀଙ୍କୁ ଦେଶ, ସମାଜ ଏବଂ ସାଧାରଣ ଲୋକମାନଙ୍କୁ ସଚ୍ଚୋଟତା ସହିତ ନିସ୍ଵାର୍ଥପର ସେବା କରିଵାକୁ ଆହ୍ଵାନ ଦେଇଥିଲେ | ଆପଣମାନଙ୍କର ସମସ୍ତ କାର୍ଯ୍ୟରେ ସତ୍ୟ ଓ ନ୍ୟାୟ ମାର୍ଗଦର୍ଶକ ହୋଇ ରହିଥାଉ ବୋଲି ସେ କହିଥିଲେ।
ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଇନଶୃଙ୍ଖଳା ରକ୍ଷା ଓ ମାଓ ମୁକାବିଲା କ୍ଷେତ୍ରରେ କର୍ତ୍ତବ୍ୟରତ ଶହୀଦ ପୋଲିସ୍ କର୍ମଚାରୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ସେ କହିଥିଲେ ଯେ ଦୀର୍ଘଦିନର ଅବିଶ୍ରାନ୍ତ କଠିନ ପରିଶ୍ରମ ସହ ମୌଳିକ ତାଲିମ ସମ୍ପୂର୍ଣ୍ଣ କରି ୧୧୩ ଜଣ ସଶସ୍ତ୍ର ଶିକ୍ଷାନଵିଶ ପୋଲିସ୍ ସବ-ଇନସ୍ପେକ୍ଟର ଆଜି ପାସିଙ୍ଗ୍ ଆଉଟ କରୁଛନ୍ତି । ଏହି ଅବସରରେ ସେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ସେ କହିଥିଲେ ଯେ ଟ୍ରେନି ଅଫିସରମାନଙ୍କ ପିତାମାତା ଓ ପରିବାରର ସଦସ୍ୟମାନେ ସେମାନଙ୍କୁ ପୋଲିସ ସେବାରେ ଉତ୍ସର୍ଗୀକୃତ ହେବା କ୍ଷେତ୍ରରେ ନିରନ୍ତର ସମର୍ଥନ କରି ଆସିଛନ୍ତି । ସେଥିପାଇଁ ସେମାନେ ମଧ୍ୟ ଧନ୍ୟବାଦର ପାତ୍ର। ଏକାଡେମୀର ମୌଳିକ ତାଲିମ ଜରିଆରେ ଏହି ଅଧିକାରୀମାନେ ଯଥେଷ୍ଟ ବୃତ୍ତିଗତ ଜ୍ଞାନ କୌଶଳ ଓ ଦକ୍ଷତା ହାସଲ କରିଥିବେ। ଏହା ଆପଣଙ୍କର ଦୈନନ୍ଦିନ ସେବା କାର୍ଯ୍ୟରେ ଖୁବ୍ ସହାୟକ ହେବ ବୋଲି ସେ ଆଶାପ୍ରକାଶ କରିଥିଲେ।
ବହୁ ସଂଖ୍ୟକ ସୁରକ୍ଷା ବଳଙ୍କ ସହଯୋଗରେ କାର୍ଯ୍ୟ ସମ୍ପାଦନ କରିବା ପାଇଁ ଆପଣମାନଙ୍କୁ ଦୃଢ ନେତୃତ୍ୱ ଓ ପରିଚାଳନାଗତ ଦକ୍ଷତା ପ୍ରଦର୍ଶନ କରିବାକୁ ପଡ଼ିବ । ନିଜ ଅଧୀନରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ନିଜର ପରିବାର ସଦସ୍ୟ ଭାବରେ ବିବେଚନା କରିବା ସହିତ ସେମାନଙ୍କର କଲ୍ୟାଣ ପ୍ରତି ଯତ୍ନବାନ ହେବାକୁ ପଡିବ ବୋଲି ମଧ୍ୟ ସେ କହିଥିଲେ। ଆଜିଠାରୁ, ଆପଣମାନଙ୍କୁ କଠିନରୁ କଠିନ ଆହ୍ଵାନ ପାଇଁ ପ୍ରସ୍ତୁତ ହେବା ଉଚିତ । ଓଡିଶାର ସ୍ପେଶାଲ ଅପରେସନ୍ ଗ୍ରୁପ୍ ହେଉଛି ଦେଶର ମାଓବାଦୀ ମୁକାବିଲା ନିମନ୍ତେ ସବୁଠାରୁ ଉତ୍ତମ ଓ ଉଚ୍ଚକୋଟୀର ସୁରକ୍ଷା ବଳ । ଏହି ଅଧିକାରୀ ମାନଙ୍କ ଦକ୍ଷତା ମାଓବାଦୀ ବିରୋଧୀ ଅଭିଯାନରେ ଓଡିଶା ପୋଲିସକୁ ଆହୁରି ଗୈାରବାନ୍ୱିତ କରିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ।
ବାମପନ୍ଥୀ ଉଗ୍ରବାଦରେ ଓଡିଶାର ସଫଳତା ବିଷୟରେ ଆଲୋକପାତ କରି ସେ କହିଲେ ଯେ ଭାରତର ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ଓ ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହାଜୀଙ୍କ ଦିଶା ନିର୍ଦ୍ଦେଶରେ ଓ ଭାରତ ସରକାରଙ୍କ ଅକୁଣ୍ଠ ସହଯୋଗରେ ବାମପନ୍ଥୀ ଉଗ୍ରବାଦ ମୁକାବିଲାରେ ଓଡିଶା ପୋଲିସ୍ ସଫଳତାର ସହ ଉତ୍ତମ ପ୍ରଦର୍ଶନ କରି ଆସୁଛି । ମାଓବାଦୀଙ୍କ ବିସ୍ତାର ଏବଂ ପ୍ରଭାବ ହ୍ରାସ ପାଇଛି । କିନ୍ତୁ ତଥାପି ଆହ୍ଵାନ ରହିଛି । ପୋଲିସ ବାହିନୀ ନିଜର କାର୍ଯ୍ୟ ଦକ୍ଷତା ବଳରେ ଏହି ମାଓ ମୁକାବିଲାର ନେତୃତ୍ୱ ନେଇ ଆମ ରାଜ୍ୟକୁ ମାଓମୁକ୍ତ କରିଵେ ବୋଲି ସେ ଦୃଢ ଆଶା ପ୍ରକାଶ କରିଥିଲେ । ମାଓ ମୁକାବିଲା କ୍ଷେତ୍ରରେ ଆମ ସରକାରଙ୍କର ସମ୍ପୂର୍ଣ୍ଣ ସହଯୋଗ ରହିବ ବୋଲି ସେ କହିଥିଲେ।
ପୋଲିସର ଆଧୁନିକୀକରଣ ଓ ପୋଲିସ୍ ବ୍ୟବସ୍ଥାର ସଂସ୍କାର ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରକାଶ କରିବା ସହିତ ପୋଲିସ୍ କର୍ମଚାରୀଙ୍କ ବିଭିନ୍ନ ଅଭାବ ଅସୁବିଧା ସମ୍ପର୍କରେ ମୋ ସରକାର ଅବଗତ ଅଛନ୍ତି ବୋଲି ସେ କହିଥିଲେ। ପୋଲିସ୍ ପାଇଁ କଲ୍ୟାଣମୂଳକ ପଦକ୍ଷେପ ନେବାପାଇଁ ଓଡିଶା ସରକାର ଯତ୍ନବାନ ରହିବେ । ଏହାସହିତ ଲୋକବଳ ଅଭାବ ଦୂର କରିବାପାଇଁ ଆମେ ଆବଶ୍ୟକ ପଦକ୍ଷେପ ନିଆଯିବ । ପୋଲିସ୍ ପ୍ରଶିକ୍ଷଣକୁ ଆହୁରି ଗତିଶୀଳ ଓ ଲୋକାଭିମୁଖୀ କରିବା ପାଇଁ ସରକାର ଆଗାମୀ ଦିନରେ ବିଭିନ୍ନ ସାହାଯ୍ୟ ଓ ପ୍ରୋତ୍ସାହନ ଦେବେ ବୋଲି ସେ କହିଥିଲେ।