ଆଜି ହେଉଛି ପବିତ୍ର ମାଘ ମାସ ଶୁକ୍ଳପକ୍ଷ ପଞ୍ଚମୀ ତୀଥି। ଏହି ପବିତ୍ର ତୀଥିରେ ୨୦୨୪ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ ହେବ। ବିଶ୍ୱ ବ୍ରହ୍ମାଣ୍ଡନାଥ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା ପ୍ରସ୍ତୁତୀର ଆଜି ହେଉଛି ପ୍ରଥମ ପର୍ବ। ପରମ୍ପରା ମୁତାବକ ମହାପ୍ରଭୁଙ୍କ ରଥନିର୍ମାଣ ପାଇଁ ଆସିଥିବା କାଠ ରଥଖଳାରେ ଆଜି ଅନୁକୁଳ ହେବ।
ଏଥିପାଇଁ ନୟାଗଡ ବନଖଣ୍ଡ ରୁ ଆସିଥିବା କାଠ ମଧ୍ୟରୁ ତିନିଖଣ୍ଡ ବାର ଫୁଟିଆ ଧଉରା କାଠକୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ରଖାଯାଇ ବୁଧବାର ସନ୍ଧ୍ୟାରେ ପୂଜାପାଠ କରାଯିବ।ଏଥିଲାଗି ମଙ୍ଗଳବାର ଦିନ ରଥଖଳାକୁ ପରିସ୍କାର କରାଯାଇ ତିନିରଥର ତିନୋଟି ଧଉରା କାଠକୁ ରଖାଯାଇଛି। ତେବେ ବୁଧବାର ସଂନ୍ଧ୍ଯାବେଳେ ଶୋତ୍ରୀୟ ବ୍ରାହ୍ମଣ ଓ ରାଜଗୁରୁ ବନଜାଗ ପଦ୍ଧତିରେ ମନ୍ତ୍ର ଉଚ୍ଚାରଣ କରି ପୂଜା କରିବେ। ଚଳିତବର୍ଷ ରଥଯାତ୍ରା କିଭଳି ଶାନ୍ତିଶୃଙ୍ଖଳାର ସହିତ ସମାପନ ହେବ ସେନେଇ ଶ୍ରୀଜୀଉଙ୍କ ନିକଟରେ ପ୍ରାଥନା କରାଯିବ। ତେବେ ଆସନ୍ତା ରାମନବମୀ ତିଥିରେ ରଥକାଠ ଚିରଟ ପ୍ରକ୍ରିୟା ଆରମ୍ଭ କରାଯିବା ସହ ଆସନ୍ତା ଅକ୍ଷୟ ତୃତୀୟା ଦିନ ରଥନିର୍ମାଣ କାର୍ଯ୍ୟ ଅନୁକୂଳ ହେବ। ତେବେ ତିନିରଥ ନିର୍ମାଣ ପାଇଁ ମୋଟ ୮୬୫ ଖଣ୍ଡ କାଠର ଆବଶ୍ୟକତା ଥିବାବେଳେ ଗତବର୍ଷର ୫୩ ଖଣ୍ଡ କାଠ ବଳକା ରହିଛି। ତେବେ ଚଳିତବର୍ଷ ରଥନିର୍ମାଣ ପାଇଁ ଆଉ ୮୧୨ ଖଣ୍ଡ କାଠ ଦରକାର ଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୧୦୨ ଖଣ୍ଡ କାଠ ପୁରୀରେ ପହଞ୍ଚିଛି।
ଅଧିକ ପଢନ୍ତୁ: ଧରାପୃଷ୍ଠରେ ବିରାଜିଲେ ମା' ବାଗ୍ ଦେବୀ