ଆଜି ପବିତ୍ର ବସନ୍ତ ପଞ୍ଚମୀ ବା ଶ୍ରୀପଞ୍ଚମୀ। ଧରାପୃଷ୍ଠକୁ ଅବତରଣ କରିଛନ୍ତି ବିଦ୍ୟାଦାତ୍ରୀ ମା' ସରସ୍ୱତୀ । ସରସ୍ୱତୀଙ୍କୁ ଜ୍ଞାନର ଦେବୀ କୁହାଯାଏ। ମାଘ ମାସ ଶୁକ୍ଳ ପଞ୍ଚମୀ ତିଥିରେ ପାଳନ କରାଯାଉଥିବା ଏହି ପୂଜା ସରସ୍ୱତୀ ପୂଜା ନାମରେ ଅଭିହିତ।
ଧାର୍ମିକ ବିଶ୍ୱାସ ଅନୁଯାୟୀ କୁହାଯାଏ ଯେ ଏହି ଦିନ ଜ୍ଞାନର ଦେବୀ ମାତା ସରସ୍ୱତୀ ଅବତାର ଗ୍ରହଣ କରିଥିଲେ। ମାତା ସରସ୍ୱତୀ ଶିକ୍ଷା, ସଙ୍ଗୀତ, ଜ୍ଞାନ ଏବଂ କଳାର ଦେବୀ ହୋଇଥିବାରୁ ବିଶେଷ କରି ତାଙ୍କୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଏହି ଦିନ ବଡ ଧୁମଧାମରେ ପୂଜା କରାଯାଏ। ମା’ ସରସ୍ୱତୀଙ୍କୁ ସୌମ୍ୟା ମଧ୍ୟ କୁହାଯାଏ। ଏହି ନାମର ଅର୍ଥ ହେଉଛି ମଧୁର। ଦେବୀ ସରସ୍ୱତୀଙ୍କ ନାମ ଭାଚି ମଧ୍ୟ ରଖାଯାଇଛି କାରଣ ତାଙ୍କ ବାଣୀ ଅତ୍ୟନ୍ତ ସୁମଧୁର। ଏହାଛଡା ଦେବୀ ଭଗବତୀ, ଶାରଦା, ବାକ୍ଦେବୀ, ହଂସବାହିନୀ ମଧ୍ୟ କୁହାଯାଏ। ଧଳା ହେଉଛି ଶୁଦ୍ଧତା, ଧୈର୍ଯ୍ୟ, ସତ୍ୟ ଏବଂ ଈଶ୍ୱରୀୟ ଜ୍ଞାନର ପ୍ରତୀକ। ସେଥିପାଇଁ ମାତା ସରସ୍ୱତୀଙ୍କୁ ଧଳା ରଙ୍ଗରେ ଦର୍ଶାଯାଏ। ବ୍ରହ୍ମାଙ୍କ ସହଚରୀ ଓ ଶକ୍ତି ରୂପେ ବିଦିତ ମା' ସରସ୍ୱତୀ । ଋଗ୍ବେଦରେ ଦେବୀ ସରସ୍ୱତୀଙ୍କୁ ମନୁଷ୍ୟର ବୁଦ୍ଧି, ଜ୍ଞାନ ଏବଂ ମନୋଭାବର ରକ୍ଷକ ଭାବରେ ବିବେଚନା କରାଯାଏ। ଏ ସମ୍ବନ୍ଧରେ ଶାସ୍ତ୍ରରେ ଦେବୀ ସରସ୍ୱତୀଙ୍କ ମହିମା ବିଷୟରେ ଅନେକ ବର୍ଣ୍ଣନା କରାଯାଇଛି।
ଋତୁରାଜ ବସନ୍ତ ସ୍ୱାଗତ କରେ ବିଦ୍ୟାଦାୟିନୀ ମା' ସରସ୍ବତୀଙ୍କୁ । ମା' ସରସ୍ୱତୀ ଶୁକ୍ଳ ବସ୍ତ୍ର ପରିଧାନ କରି କର୍ଣ୍ଣରେ ରତ୍ନବିଭୂଷିତ କୁଣ୍ଡଳ ଧାରଣ କରି ଗଳାରେ ଗଜମୋତି ଏବଂ ମୁକ୍ତାହାର ପିନ୍ଧି ଓ ହସ୍ତରେ ବୀଣା ଓ ପୁସ୍ତକ ଧାରଣ କରି ପଦ୍ମାସନରେ ଶ୍ୱେତପଦ୍ମ ଉପରେ ଅଧିଷ୍ଠାତ୍ରୀ ହୁଅନ୍ତି । ବସନ୍ତ ପଞ୍ଚମୀ ଦିନଠାରୁ ଆରମ୍ଭ ହୁଏ ବସନ୍ତ ଋତୁ । ପୁଷ୍ପମାଳା ସୁଶୋଭିତ ଦେବୀଙ୍କ ମୂର୍ତ୍ତି ଘଣ୍ଟ, ଘଣ୍ଟା ଏବଂ ଶଙ୍ଖ ଆଦି ବାଦ୍ୟ ବାଦନ ମଧ୍ୟରେ ପୂଜିତ ହୁଅନ୍ତି। କୁନ୍ଦପୁଷ୍ପ ଦେବୀ ସରସ୍ୱତୀଙ୍କର ଅତି ପ୍ରିୟ । ଭୋଗ ଭାବେ ଖଇ, ଉଖୁଡ଼ା, ନଡ଼ିଆ ଆଦି ବଢ଼ାଯାଇଥାଏ । ପଞ୍ଚାମୃତ ରୂପରେ ଦୁଧ, ଘିଅ, ଦହି, ମହୁ ଓ ଶର୍କରା ଏକତ୍ର କରି ଦେବୀଙ୍କୁ ପ୍ରଦାନ କରାଯାଏ । ବିଦ୍ୟା ସରସ୍ବତୀଙ୍କ ସ୍ବରୁପ ଓ ଶକ୍ତି । ତାଙ୍କ କରୁଣା ବିନା ସାଧକ ଏକ୍ଷେତ୍ରରେ ସଫଳତା ପାଇ ନଥାନ୍ତି । ମା'ଙ୍କ ଆଶୀର୍ବାଦ ଥିଲେ ଜୀବନର ସବୁ ପରୀକ୍ଷାରେ ସଫଳତା ମିଳେ । ଖାଲି ସେତିକି ନୁହେଁ ସରସ୍ବତୀ କଣ୍ଠରେ ବିରାଜିଲେ ଜଣେ ଉତ୍ତମ ଗାୟକ ହୋଇପାରେ ବିଶ୍ବାସ ରହିଛି। ଏଥର ବସନ୍ତ ପଞ୍ଚମୀ ଦିନ ରବି ଯୋଗ ଏବଂ ଅମୃତ ସିଦ୍ଧି ଯୋଗର ବିଶେଷ ସଂଯୋଗ ହେବ ।
ତେବେ ଚଳିତ ବର୍ଷ ମଧ୍ୟ ମା'ଙ୍କ ଆଗମନକୁ ନେଇ ସବୁଠି ଉତ୍ସାହ ଦେଖିବାକୁ ମିଳିଛି। ସ୍କୁଲ, କଲେଜ ଓ ବିଭିନ୍ନ ଶିକ୍ଷାନୁଷ୍ଠାନମାନଙ୍କରେ ମା'ଙ୍କର ସ୍ୱତନ୍ତ୍ର ପୂଜା ହେଉଛି। ଏଥିପାଇଁ ସକାଳୁ ସକାଳୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗହଳି ଚହଳି ଲାଗିବା ସହ ପିଲାମାନେ ବେଶ୍ ଉତ୍ସାହରେ ଭଳିକି ଭଳି ଡ୍ରେସ ପିନ୍ଧି ସ୍କୁଲ ଯାଉଛନ୍ତି।
ଅଧିକ ପଢନ୍ତୁ: ଆବୁଧାବିରେ UPI ସେବାର ଶୁଭାରମ୍ଭ କଲେ ମୋଦୀ