ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ଦୁଇ ଦିନିଆ ସଂଯୁକ୍ତ ଆରବ ଏମିରେଟ୍ସ (UAE) ଗସ୍ତରେ ଯାଇଥିବା ବେଳେ ବୁଧବାର ଆବୁଧାବିରେ ପ୍ରଥମ ହିନ୍ଦୁ ମନ୍ଦିରର ଉଦଘାଟନ କରିବେ। ଏହି ସମୟରେ ରାଷ୍ଟ୍ରପତି ଶେଖ୍ ମହମଦ ବିନ୍ ଜାୟେଦ ଅଲ ନାହୟାନ୍ଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଏ ନେଇ ଭାରତରେ ୟୁଏଇର ରାଷ୍ଟ୍ରଦୂତ ଅବଦୁଲ ନାସିର ଅଲଶାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୟୁଏଇ ଗସ୍ତକୁ ଦ୍ୱିପାକ୍ଷିକ ସମ୍ପର୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବର୍ଣ୍ଣନା କରି ଏହା ରଣନୀତିକ ସମ୍ପର୍କକୁ ନୂତନ ଉଚ୍ଚତାକୁ ନେଇଯିବ ବୋଲି ମତ ବ୍ୟକ୍ତ କରିଛନ୍ତି। ତେବେ ଏହା ସହ ଭାରତର ନିଜସ୍ୱ ପେମେଣ୍ଟ ବ୍ୟବସ୍ଥା ୟୁନିଫାଇଡ୍ ପେମେଣ୍ଟ ଇଣ୍ଟରଫେସ୍ (UPI)କୁ ଆରମ୍ଭ କରାଯାଇଛି।
ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆବୁଧାବିରେ ଏହି UPI ସେବା ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ମୋଦି, ୟୁଏଇ ରାଷ୍ଟ୍ରପତି ଶେଖ୍ ମହମ୍ମଦ୍ ବିନ୍ ଜାଏଦ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ବେଳେ UPI ସେବାର ଆରମ୍ଭ କରିଛନ୍ତି।
ଏହା ସହ ପ୍ରଧାନମନ୍ତ୍ରୀ ମୋଦି ଓ ୟୁଏଇ ରାଷ୍ଟ୍ରପତିଙ୍କ ସହ ଅନେକ ପ୍ରକାର ଚୁକ୍ତି ସ୍ୱାକ୍ଷରିତ କରିଛନ୍ତି । ଡିଜିଟାଲ୍ ଭିତ୍ତିଭୂମି ପ୍ରକଳ୍ପ ଗୁଡିକ ଉପରେ ଏମଓୟୁ ସ୍ୱାକ୍ଷରିତ ହେବା ସହ ଐତିହ୍ୟ ଏବଂ ସଂଗ୍ରହାଳୟ କ୍ଷେତ୍ରରେ ସହଯୋଗ ପାଇଁ ମଧ୍ୟ ଏମଓୟୁ ସ୍ୱାକ୍ଷରିତ ହୋଇଛି।
ମଙ୍ଗଳବାର ପ୍ରଧାନମନ୍ତ୍ରୀ ରାଜଧାନୀ ଆବୁଧାବିସ୍ଥିତ ଜାୟଦ୍ ଷ୍ଟାଡିୟମରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିଛନ୍ତି । ‘ଆଲାନ ମୋଦି’ କାର୍ଯ୍ୟକ୍ରମରେ ଏକାଠି ହୋଇଥିବା ହଜାର ହଜାର ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିବା ବେଳେ ପ୍ରଧାନମନ୍ତ୍ରୀ ଭାବୁକ ହେବା ସହ ୟୁଏଇ ଓ ଭାରତର ଦଶନ୍ଧି ପୁରୁଣା ସୁସମ୍ପର୍କର ଉଦାହରଣ ଦେଇଥିଲେ । ସେ ଦରିଆ ଆରପାରିରୁ ୧୪୦ କୋଟି ଭାରତୀୟ ଭାଇ ଭଉଣୀଙ୍କ ସନ୍ଦେହ ନେଇ UAEରେ ଥିବା ପ୍ରବାସୀ ଭାରତୀୟଙ୍କୁ ଭେଟିବାକୁ ଆସିଛନ୍ତି । ଆଜି ଦେଶ ସେମାନଙ୍କ ପାଇଁ ଗର୍ବିତ ବୋଲି ପ୍ରବାସୀଙ୍କୁ ମୋଦି କହିଛନ୍ତି। ସମ୍ବୋଧନରେ ମୋଦି ଭାରତ-UAEର ସୁସମ୍ପର୍କ ପାଇଁ ସ୍ଥାନୀୟ ରାଷ୍ଟ୍ରପତି ନ୍ୟାହାନଙ୍କ ନୀତିକୁ ମଧ୍ୟ ଧନ୍ୟବାଦ ଦେଇଥିଲେ ।
ଅଧିକ ପଢନ୍ତୁ: ୮ ଜିଲ୍ଲାରେ ବର୍ଷା, କୁହୁଡି ପାଇଁ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ