ଡାକ୍ତରଙ୍କୁ ଭଗବାନଙ୍କ ଦ୍ଵିତୀୟ ରୂପ କୁହାଯାଏ। ତେବେ ଏହାକୁ ପୁଣି ଥରେ ସତ ପ୍ରମାଣିତ କରିଛନ୍ତି ସମ୍ ହସ୍ପିଟାଲର ସର୍ଜନ୍ ମାନେ। ଏକ ନବଜାତ ଶିଶୁର ଶରୀରର ନିମ୍ନ ଭାଗରେ ଯୋଡି ହୋଇ ରହିଥିବା ମୁଣ୍ଡ ଆକୃତିର ଏକ କେଜି ଓଜନ ବିଶିଷ୍ଟ ୩୫ ସେମି ଆକାରର ଏକ ଟ୍ୟୁମରର ସଫଳ ଅସ୍ତ୍ରୋପଚାର ମାଧ୍ୟମରେ ଅଲଗା କରି ଶିଶୁକୁ ନୂଆ ଜୀବନ ଦେଇଛନ୍ତି ଇନ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲର ସର୍ଜନ୍ । ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରମୁଖ ପରାମର୍ଶଦାତା (ସ୍ୱାସ୍ଥ୍ୟ ବିଜ୍ଞାନ) ତଥା ସମ୍ ହସ୍ପିଟାଲ୍ର ଶିଶୁଶଲ୍ୟ ବିଭାଗର ବରିଷ୍ଠ ଖ୍ୟାତିସମ୍ପନ୍ନ ନ୍ୟୁରୋ ସର୍ଜନ୍ ପ୍ରଫେସର ଅଶୋକ କୁମାର ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଶିଶୁଟି ଭର୍ତି ହେବାର ୪ ଦିନ ମଧ୍ୟରେ ଅସ୍ତ୍ରୋପଚାର କରାଯାଇଥିଲା ।
ଖବର ଅନୁସାରେ, ଖୋର୍ଦ୍ଧା ଅଂଚଳର ଜନୈକ ଦମ୍ପତିଙ୍କର ଶିଶୁ ପୁତ୍ର ଜନ୍ମ ହେବା ସମୟରେ ତା’ର ମଳଦ୍ୱାର ନିକଟରେ ଏକ ମୁଣ୍ଡ ଆକୃତିର ଟ୍ୟୁମର ଯୋଡ଼ି ହୋଇ ରହିଥିବା ଦେଖିବାକୁ ମିଳିଥିଲା । ଏହି ଟ୍ୟୁମରଟି ଦେଖିବାକୁ ମୁଣ୍ଡ ସଦୃଶ ହୋଇଥିବା ବେଳେ ସେଥିରେ ଚର୍ମ, କାନ ଓ କେଶ ମଧ୍ୟ ଲାଗି ରହିଥିବା ଦେଖିବାକୁ ମିଳିଥିଲା । ଏଭଳି ଅବସ୍ଥା ଦେଖି ଶିଶୁର ପରିବାରଲୋକେ ତାକୁ ସମ୍ ହସ୍ପିଟାଲ୍କୁ ଆଣି ଭର୍ତି କରାଇଥିଲେ । ନବଜାତ ଶିଶୁରୋଗ ବିଭାଗର ଡାକ୍ତର ପ୍ରଥମେ ଶିଶୁଟିର ପରୀକ୍ଷା ନିରୀକ୍ଷା କରିଥିବା ବେଳେ ପରବର୍ତୀ ସମୟରେ ଶିଶୁଶଲ୍ୟ ଡାକ୍ତର ଅସ୍ତ୍ରୋପଚାର ମାଧ୍ୟମରେ ଏହି ଟ୍ୟୁମରଟିକୁ କାଢ଼ିବାର ନିଷ୍ପତି ନେଇଥିଲେ ।
ଏହା ଏକ ବିରଳ ଅସ୍ତ୍ରୋପଚାର ଓ ଏଭଳି ସମସ୍ୟାକୁ ଡାକ୍ତରୀ ଭାଷାରେ ଜଏଂଟ ସାକ୍ରୋକକିଜିଏଲ୍ ଟେରାଟୋମା କୁହାଯାଏ ବୋଲି ପ୍ରଫେସର ଅଶୋକ କୁମାର ମହାପାତ୍ର କହିଛନ୍ତି । ଏହା ଏକ ଜନ୍ମଗତ ତ୍ରୁଟି । ମା ଗର୍ଭବତୀ ହେବାର ୧୫ ରୁ ୩୦ ଦିନ ମଧ୍ୟରେ ଶିଶୁର ଶରୀରରେ ପ୍ରଥମେ ଏକ ଟ୍ୟୁବ୍ ଆକାରର ମେରୁଦଣ୍ଡ ସୃଷ୍ଟି ହୋଇଥାଏ ଯାହାକୁ ନ୍ୟୁରାଲ ଟ୍ୟୁବ କୁହାଯାଏ । ଏହି ନ୍ୟୁରାଲ ଟ୍ୟୁବ୍ରେ ଯଦି ମସ୍ତିଷ୍କ, ମାଂସପେଶୀ ଓ ହାଡର ଟିସ୍ୟୁ ଏକାଠି ହୋଇଯାଏ ଏଭଳି ସମସ୍ୟା ସୃଷ୍ଟି ହୋଇଥାଏ ବୋଲି ବୋଲି ପ୍ରଫେସର ମହାପାତ୍ର କହିଛନ୍ତି । ଏହି ଜଟିଳ ଅପରେସନ୍ ନିମନ୍ତେ ପ୍ରାୟ ଦୁଇ ରୁ ତିନି ଘଂଟା ସମୟ ଲାଗିଥିଲା ବୋଲି ସମ୍ ହସ୍ପିଟାଲ୍ର ନ୍ୟୁରୋ ସର୍ଜରୀ ବିଭାଗର ପ୍ରଫେସର ସୌଭାଗ୍ୟ ପାଣିଗ୍ରାହୀ କହିଛନ୍ତି । ବିଏସ୍କେୱାଇ ଯୋଜନା ମାଧ୍ୟମରେ ଏହି ଅସ୍ତ୍ରୋପଚାର କରାଯାଇଥିବା ସେ ଜଣାଇଛନ୍ତି । ସେହିପରି ସମ୍ର ନ୍ୟୁରୋ ସର୍ଜରୀ ବିଭାଗର ପ୍ରଫେସର ରାମଚନ୍ଦ୍ର ଦେଓ କହିଥିଲେ ଯେ ନବଜାତ ଶିଶୁରୋଗ ବିଭାଗର ଆଇସିୟୁ ଓ ନିଶ୍ଚେତକ ଟିମ୍ଙ୍କର ଏହି ଅସ୍ତ୍ରୋପଚାରକୁ ସଫଳ କରିବାରେ ଅନେକ ସହଯୋଗ ରହିଥିଲା ।
ଅଧିକ ପଢନ୍ତୁ : ତିନୋଟି ବିରଳ ଧଳା ଗରୁଡ ପକ୍ଷୀ ଉଦ୍ଧାର