କୋରାପୁଟ : ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପର ଗଭୀର ଅବପାତର ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ଯେଉଁ କାରଣରୁ ବିଭିନ୍ନ ସ୍ଥାନରେ ଲୋକମାନେ ହନ୍ତସନ୍ତ ମଧ୍ୟ ହେଉଛନ୍ତି । ରାଜ୍ୟରେ ତୁହାକୁ ତୁହା ବର୍ଷା ପ୍ରଭାବରେ କୋରାପୁଟ ଜିଲ୍ଲା ଜଳମଗ୍ନ ହୋଇପଡିଛି । ଫଳରେ ଯାତାୟାତ ମଧ୍ୟ ବାଧାପ୍ରାପ୍ତ ହେଉଛି । ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମାଛକୁଣ୍ଡ ଡ୍ୟାମରେ ମଧ୍ୟ ଜଳସ୍ତର ବଢ଼ିବାରେ ଲାଗିଛି ।
କୋରାପୁଟ ଜିଲ୍ଲାର ବିଭିନ୍ନ ନଦୀରେ ଜଳସ୍ତର ବଢିବା ସହିତ ଅଧିକାଂଶ ଅଂଚଳ ଜଳମଗ୍ନ ହୋଇପଡିଛି । ସେପଟେ ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହା ପ୍ରଭାବରେ ଆସନ୍ତା ଦୁଇ ଦିନ ଅର୍ଥାତ ୧୧ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି । ଏହା ସହିତ ଉପକୂଳ ଜିଲ୍ଲା ଗୁଡ଼ିକରେ ୪୦ରୁ ୬୦ କି.ମି ବେଗରେ ପବନ ବୋହିବାର ସମ୍ଭାବନା ରହିଛି । ପ୍ରବଳ ବର୍ଷା ନେଇ ୫ ଜିଲ୍ଲାକୁ ରେଡ ୱାର୍ଣ୍ଣଂ ଜାରି କରିଛି ପାଣିପାଗ ବିଭାଗ । ବର୍ଷା ପାଇଁ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି ।