ବାଲେଶ୍ୱର : ନବମ ଶ୍ରେଣୀ ଛାତ୍ରୀଙ୍କୁ ଅସାଦାଚରଣ। ତେଣୁ ଛାତ୍ରୀଙ୍କ ମାଆ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ବିଦ୍ୟାଳୟ ଗଣିତ ଶିକ୍ଷକ ଏବଂ ପ୍ରଧାନ ଶିକ୍ଷକଙ୍କୁ ଅଟକ ରଖିଛି ପୋଲିସ। ବାଲେଶ୍ବର ଜିଲ୍ଲା ରାଇବଣିଆ ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା। ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଗ୍ରାମବାସୀ ଉକ୍ତ ଶିକ୍ଷକଙ୍କୁ ଉଚିତ ଦଣ୍ଡ ଦେବାକୁ ଦାବି କରିଛନ୍ତି।
ସୂଚନା ଅନୁଯାୟୀ, ବାଲେଶ୍ବର ଜିଲ୍ଲା ଚମାର ଗାଁ ସ୍ଥିତ ପିଏନ ହାଇସ୍କୁଲରେ ଅଧୟନ କରୁଥିବା ଜଣେ ନବମ ଶ୍ରେଣୀର ନାବାଳିକା ଛାତ୍ରୀଙ୍କୁ ସେହି ବିଦ୍ୟାଳୟର ଗଣିତ ଶିକ୍ଷକ କୈଳାସ ଚନ୍ଦ୍ର ବେଜ ଦୀର୍ଘ ୩ ମାସ ଧରି ଅଶ୍ଳୀଳ ଇଙ୍ଗିତ କରିବା ସହିତ ଅସାଦାଚରଣ କରି ଆସୁଥିଲେ। ଏଥିରେ ଛାତ୍ରୀ ଜଣକ ବାରଣ କରିବାରୁ ଶିକ୍ଷକ ତାଙ୍କୁ ପରୀକ୍ଷା ରେ ଫେଲ କରାଇ ଦେବାକୁ ଧମକ ଦେଉ ଥିଲେ। ମାତ୍ର ଭୟରେ ଛାତ୍ରୀ ଜଣକ ଏକଥା ଘରେ ନଜଣାଇ ୮ ଦିନ ପୂର୍ବରୁ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କୁ ଅଭିଯୋଗ କରିଥିଲେ କିନ୍ତୁ ପ୍ରଧାନ ଶିକ୍ଷକ କିଛି ନବୁଝିବାରୁ ଛାତ୍ରୀ ଜଣକ ଏକଥା ତାଙ୍କ ମା'ଙ୍କୁ ଜଣାଇବା ସହ ଆଉ ସ୍କୁଲ ଯିବି ନାହିଁ ବୋଲି କହିଥିଲେ। ,
ଏହାପରେ ଛାତ୍ରୀଙ୍କର ମା' ଗତକାଲି ରାଇବଣିଆ ଥାନାରେ ଗଣିତ ଶିକ୍ଷକ ଏବଂ ପ୍ରଧାନ ଶିକ୍ଷକଙ୍କ ନାଁରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ରାଇବଣିଆ ପୋଲିସ ଉଭୟ ଗଣିତ ଶିକ୍ଷକ କୈଳାସ ଚନ୍ଦ୍ର ବେଜ ଏବଂ ପ୍ରଧାନ ଶିକ୍ଷକ ଭବାନୀ ଶଙ୍କର ପାଳଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଛି।