କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟ ଇଷ୍ଟ ହଷ୍ଟେଲରେ ଅନ୍ତେବାସୀଙ୍କୁ ରାଗିଂ ମାମଲା ଏବେ ଭିନ୍ନ ମୋଡ଼ ନେଇଛି । ରାଗିଂ ଅଭିଯୋଗ ଆଣିଥିବା ଛାତ୍ର ୟୁଟର୍ଣ୍ଣ ମାରିଛନ୍ତି । ତାଙ୍କୁ ରାଗିଂ ହୋଇ ନାହିଁ ବରଂ ରାଗିଂ ଅଭିଯୋଗ ଆଣିବାକୁ ବାଧ୍ୟ କରାଯାଉଛି ବୋଲି ସେମାନେ କହିଛନ୍ତି । ଏ ନେଇ କୂଳସଚିବଙ୍କୁ ଚିଠି ଲେଖିଛନ୍ତି ସମ୍ପୃକ୍ତ ଛାତ୍ର । କିନ୍ତୁ ସେମାନଙ୍କ ଚିଠିକୁ ମଧ୍ୟ ଗ୍ରହଣ କରାଯାଉ ନାହିଁ । ହଷ୍ଟେଲ ମୁଖ୍ୟ ତାଙ୍କୁ ବାଧ୍ୟ କରିଛନ୍ତି ବୋଲି ସେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ।
ପ୍ରଥମ ବର୍ଷର ଛାତ୍ରମାନେ କହିଛନ୍ତି ଯେ ସେମାନେ ନିଜେ ତୃତୀୟ ବର୍ଷର ଛାତ୍ରଙ୍କ ପାଖକୁ ହଷ୍ଟେଲର କିଛି ସମସ୍ୟା ନେଇ ଆଲୋଚନା କରିବାକୁ ଯାଇଥିଲେ । ଏହା ପରେ ଉକ୍ତ ସମସ୍ୟାର ସମାଧାନ ମଧ୍ୟ ସେମାନେ କରିଥିଲେ । କିନ୍ତୁ ରାଗିଂ ନେଇ ସେମାନେ ଲିଖିତ କିମ୍ବା ମୌଖିକଭାବରେ କୌଣସି ଅଭିଯୋଗ କରିନଥିଲେ । ବରଂ ହଷ୍ଟେଲ ଦାୟିତ୍ୱରେ ଥିବା କେୟାର ଟେକର୍ ସେମାନଙ୍କୁ ରୁମ ବାହାରେ ରଖିଥିଲେ । ଏହା ପରେ କେୟାର ଟେକର୍ ହିଁ ନିଜେ ଅଭିଯୋଗ କରିଥିଲେ ବୋଲି ପ୍ରଥମ ବର୍ଷର ଛାତ୍ର ପାଲଟା ଅଭିଯୋଗ କରିଛନ୍ତି ।
ଅନ୍ୟପକ୍ଷରେ ରାଗିଂ ଅଭିଯୋଗ ଆସିବା ପରେ କର୍ତ୍ତୃପକ୍ଷ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି । ରାଗିଂ କରିଥିବା ୟୁଜି ତୃତୀୟ ବର୍ଷର ୧୦ ଜଣ ଛାତ୍ରଙ୍କୁ ଛାତ୍ରାବାସ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଣ୍ଟି ରାଗିଂ କମିଟି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ସେମାନଙ୍କୁ କେବଳ ଗୋଟିଏ ରାତିରେ ବିଶ୍ୱବିଦ୍ୟାଳୟ ଅତିଥିଭବନରେ ରହିବାକୁ ଅନୁମତି ମିଳିଛି ।
ତୃତୀୟ ବର୍ଷର ଛାତ୍ରମାନେ ମଧ୍ୟ ରାଗିଂ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ହଷ୍ଟେଲ ମୁଖ୍ୟ ମିଥ୍ୟା ଫଟୋ ଦେଖାଇ ରାଗିଂ ଅଭିଯୋଗ ଆଣିଛନ୍ତି । ତାଙ୍କ ସହିତ କୌଣସି ବ୍ୟକ୍ତିଗତ ଶତ୍ରୁତା ନ ଥିବା ସତ୍ୱେ ସେ କାହିଁକି ଏଭଳି ପଦକ୍ଷେପ ନେଇଛନ୍ତି ତାହା କିଛି ଜଣାପଡ଼ୁନାହିଁ ବୋଲି କହିଛନ୍ତି ତୃତୀୟ ବର୍ଷ ଛାତ୍ର ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ଶନିବାର ରାତିରେ ଇଷ୍ଟ ହଷ୍ଟେଲର ୧୦ ଜଣ ଅନ୍ତେବାସୀ ପ୍ରଥମ ବର୍ଷର ଛାତ୍ରଙ୍କୁ ରାଗିଂ କରିଥିବା ଅଭିଯୋଗ ହୋଇଥିଲା । ତୃତୀୟ ବର୍ଷ ଛାତ୍ର ପ୍ରଥମ ବର୍ଷ ଛାତ୍ରଙ୍କୁ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଥିଲା । ତେବେ ଏ ନେଇ ଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ପ୍ରକାଶ ପାଇଛି ।