ଭୁବନେଶ୍ୱର: ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ଛାତ୍ର କଂଗ୍ରେସ ସଭାପତି ଉଦିତ ନାରାୟଣ ପ୍ରଧାନଙ୍କୁ ନିଲମ୍ବିତ କରାଯାଇଛି । ତ୍ୱରିତ ପଦକ୍ଷେପ ସ୍ୱରୂପ ଏନ୍ଏସୟୁଆଇର ରାଷ୍ଟ୍ରୀୟ ସଭାପତି ବରୁଣ ଚୌଧୁରୀ ଉଦିତଙ୍କୁ ସୋମବାର ପଦରୁ ନିଲମ୍ବନ କରିଛନ୍ତି । ଏ ନେଇ ଦଳ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଏନ୍ଏସୟୁଆଇ ଲିଙ୍ଗ-ଭିତ୍ତିକ ଅନ୍ୟାୟ ପ୍ରତି ଶୂନ୍ୟ ଶହନଶୀଳତା ନୀତି ବଜାୟ ରଖିଛି ଏବଂ ଦାୟିତ୍ୱ ଏବଂ ନ୍ୟାୟ ପ୍ରତି ଏହାର ପ୍ରତିବଦ୍ଧତାରେ ଅଟଳ ରହିଛି । ବାଲେଶ୍ୱର ପୀଡିତାଙ୍କ ନ୍ୟାୟ ପାଇଁ ଲଢ଼େଇ ପୂର୍ଣ୍ଣ ସଂକଳ୍ପ ସହିତ ଜାରି ରହିବ ବୋଲି ଦଳ କହିଛି ।
ସମ୍ପୂର୍ଣ୍ଣ ମାମଲା...
ମାର୍ଚ୍ଚ ୧୮ ତାରିଖରେ ପୀଡ଼ିତା ଜଣଙ୍କ ତାଙ୍କ ବାନ୍ଧବୀ ଓ ସହପାଠୀଙ୍କ ସହ ମିଶି ମାଷ୍ଟରକ୍ୟାଣ୍ଟିନ ଛକକୁ ବୁଲିବାକୁ ଯାଇଥିଲେ। ସେଠାରେ ସହପାଠୀ ଜଣଙ୍କ ଉଦିତ ପ୍ରଧାନଙ୍କୁ ସେମାନଙ୍କ ସହ ପରିଚିତ କରାଇଥିଲେ। ଏହାପରେ ଉଦିତଙ୍କ ଗାଡ଼ିରେ ନୂଆପଲ୍ଲୀ ସ୍ଥିତ ଏକ ହୋଟେଲକୁ ଯାଇଥିଲେ। ସେଠାରେ ଉଦିତ୍ ତାଙ୍କୁ ଥଣ୍ଡା ପାନୀୟରେ ନିଶା ଦେଇ ଅଚେତ କରିବା ପରେ ହୋଟେଲର ଏକ ରୁମରେ ଦୁଷ୍କର୍ମ କରିଥିଲେ । ଏପରିକି ଏ ସମ୍ପର୍କରେ କାହାରିକୁ କିଛି ନକହିବା ପାଇଁ ଧମକ ମଧ୍ୟ ଦେଇଥିଲେ। ଏହାପରେ ଛାତ୍ରୀ ଜଣକ ମଞ୍ଚେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।
ଲାଗିଛି ସଙ୍ଗୀନ ଦଫା...
ଉଦିତଙ୍କ ନାଁରେ ସଙ୍ଗୀନ ଦଫା ଲାଗିଛି । ଦୁଷ୍କର୍ମ କରିବା ମାମଲାରେ ଭାରତୀୟ ନ୍ୟାୟ ସଂହିତା ବା ବିଏନ୍ଏସ୍ ଦଫା ୬୪(୧), ବିଷ ଦେଇ ହତ୍ୟା ଉଦ୍ୟମ ପାଇଁ ଦଫା ୧୨୩, ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ପାଇଁ ଦଫା ୨୯୬ ଓ ଟଣା ଓଟରା କରିବା ଅଭିଯୋଗରେ ଦଫା ୭୪ ଲାଗିଛି ।