ମୟୂରଭଞ୍ଜ: ଏକ ବଡ଼ ଧରଣର ମାଓ ଆକ୍ରମଣକୁ ଟାଳି ଦେଇଛନ୍ତି ସୁରକ୍ଷାବାହିନୀ । ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡର ପଶ୍ଚିମ ସିଂଘଭୂମ ଓ ସଡ଼େଇକଲା-ଖରସୂଆଁ ଅଞ୍ଚଳରୁ ସୁରକ୍ଷାବାହିନୀ ୧୪ଟି ଶକ୍ତିଶାଳୀ ଆଇଇଡି ଜବତ କରିଛନ୍ତି । ପ୍ରତ୍ୟେକର ଓଜନ ପ୍ରାୟ ୨ କିଲୋଗ୍ରାମ ହେବ । ଏକ ବଡ଼ ଧରଣର ନକ୍ସଲ ହମଲା ପାଇଁ ଏହାକୁ ମାଟି ତଳେ ଲୁଚାଇ ରଖାଯାଇଥିବା ସନ୍ଦେହ କରାଯାଉଛି ।
ସିପିଆଇ (ମାଓବାଦୀ) ସଂଗଠନର ମାଓ ନେତା ମିସିର ବେସରା, ଅନମୋଲ, ଅଜୟ ମାହାତୋ, ପିଣ୍ଟୁ ଲୋଧା ଏବଂ ଜୟକାନ୍ତ ସରାଣ୍ଡା ଏବଂ କୋଲହାନ ଅଞ୍ଚଳରେ ସକ୍ରିୟ ଅଛନ୍ତି । ସେମାନେ ମାଓ ହମଲା ପାଇଁ ଷଡ଼ଯନ୍ତ୍ର ରଚୁଥିବା ଝାଡ଼ଖଣ୍ଡ ପୋଲିସକୁ ବଡ଼ ଗୁପ୍ତ ସୂଚନା ହସ୍ତଗତ ହୋଇଥିଲା । ସେମାମନେ ଟୋକଲୋ ଏବଂ କୁଚାଇ ଥାନା ସୀମାନ୍ତରେ ଘନ ଜଙ୍ଗଲ ଏବଂ ପାହାଡିଆ ଅଞ୍ଚଳରେ ବିସ୍ଫୋରକ ଲୁଚାଇ ରଖିଥିବା ଗୁପ୍ତ ସୂଚନା ମିଳିଥିଲା ।
ଏହା ପରେ ଜୁଲାଇ ୧୯, ଶନିବାର ଝାଡ଼ଖଣ୍ଡ ପୋଲିସ, ଝାଡ଼ଖଣ୍ଡ ଜାଗୁଆର, ସିଆରପିଏଫ୍ର ୬୦ତମ ବାଟାଲିୟନ ଏବଂ ସ୍ଥାନୀୟ ଜିଲ୍ଲା ପୋଲିସ ଦଳ ଦ୍ୱାରା ଏକ ମିଳିତ ତଲାସୀ ଅଭିଯାନ ଆରମ୍ଭ କରାଯାଇଥିଲା। ଜୁଲାଇ ୨୦, ରବିବାର ସର୍ଚ୍ଚ ଅପରେସନ ସମୟରେ ସୁରକ୍ଷାବାହିନୀ ଜଙ୍ଗଲରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଥିଲା । ଉଦ୍ଧାର ସାମଗ୍ରୀ ମଧ୍ୟରେ ୧୪ଟି ଶକ୍ତିଶାଳୀ ଆଇଇଡି ବୋମା, ପ୍ରତ୍ୟେକଟି ୨ କିଲୋଗ୍ରାମ ଓଜନର, ଦେଶୀ ହାତ ବୋମା, ଆମୋନିୟମ୍ ନାଇଟ୍ରେଟ୍ ପାଉଡର, ଫାଇରକ୍ୟାକର ପାଉଡର, ଷ୍ଟିଲ୍ କଣ୍ଟେନର ଏବଂ ଅନ୍ୟାନ୍ୟ ବୋମା ତିଆରି ସାମଗ୍ରୀ ଥିଲା । ବୋମା ନିଷ୍କ୍ରିୟକାରୀ ଦଳ ସହାୟତାରେ ସମସ୍ତ ଉଦ୍ଧାର ବିସ୍ଫୋରକକୁ ସୁରକ୍ଷିତ ଭାବରେ ନିଷ୍କ୍ରିୟ କରାଯାଇଛି ।