ପଞ୍ଚୁକ ପାଞ୍ଚ ଦିନ ପୁରୀ ବଡ଼ଦାଣ୍ଡ ଠାରୁ ମରଚିକୋଟ ଛକ ପର୍ଯ୍ୟନ୍ତ ସମସ୍ତ ଉଠାଦୋକାନ ବନ୍ଦ ରହିବ ଏନେଇ ଆଜି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଏହି ସୂଚନା ଦେଇଛନ୍ତି । ଜିଲ୍ଲାପାଳ କହିଛନ୍ତି, ଭକ୍ତଙ୍କ ପାଇଁ ଯେଉଁ ସବୁ ସୁବିଧା ଯୋଗାଇ ଦିଆଯିବା କଥା, ତାକୁ ପଞ୍ଚୁକ ସମୟରେ ଆହୁରି ଅଧିକ କରାଯିବାକୁ ବ୍ୟବସ୍ଥା ହୋଇଛି । ସେଥିପାଇଁ ପଞ୍ଚୁକ ପାଇଁ ମରଚିକୋଟ ପର୍ଯ୍ୟନ୍ତ ଶେଡ୍ କରାଯିବ । ପାନୀୟ ଜଳ ପଏଣ୍ଟ ସଂଖ୍ୟା ବୃଦ୍ଧି କରାଯିବ । ଆସନ୍ତାକାଲି ସୁଦ୍ଧା ଆଉ ଏକ ଶୌଚାଳୟ ବ୍ୟବସ୍ଥା ହୋଇଯିବ । ଗହଳି ନିୟନ୍ତ୍ରଣ ପାଇଁ ସ୍ୱେଚ୍ଛାସେବୀଙ୍କ ସଂଖ୍ୟା ବୃଦ୍ଧି କରାଯିବ ।
ଜିଲ୍ଲାପାଳ ଆହୁରି କହିଛନ୍ତି ପଞ୍ଚୁକ ସମୟରେ ଶ୍ରୀମନ୍ଦିରର ନୀତିକାନ୍ତି କେମିତି ଠିକ୍ ସମୟରେ ସମାପନ ହେବ ସେ ଦିଗରେ ଗୁରୁତ୍ୱ ଦିଆଯାଉଛି । ନୀତିକାନ୍ତି ସମୟରେ ହେଲେ ଅଧିକରୁ ଅଧିକ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି ।
ବର୍ତ୍ତମାନ କାର୍ତ୍ତିକ ମାସ ଚାଲିଥିବାରୁ ପୁରୀରେ ବହୁ ଭକ୍ତଙ୍କ ଭିଡ଼ ଜମୁଛି । ଧାଡ଼ିରେ ଦୀର୍ଘ ସମୟ ଛିଡ଼ା ହୋଇ ଲୋକେ ବ୍ୟତିବ୍ୟସ୍ତ ହୋଇଯାଉଛନ୍ତି କେହି କେହି ଅସୁସ୍ଥ ମଧ୍ୟ ହୋଇପଡ଼ୁଛନ୍ତି । ଗତକାଲି ଜଣେ ବୃଦ୍ଧା ଧାଡ଼ିରେ ୫ ଘଣ୍ଟା ଛିଡ଼ା ହେବା ପରେ କ୍ଲାନ୍ତ ହୋଇ ପଡିବାରୁ ସେଠାରୁ ଉଦ୍ଧାର କରିବାକୁ କହିଥିଲେ । ଏଭଳି ଦୃଶ୍ୟ ଦେଖିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ରଞ୍ଜନ କୁମାର ଦାସ ବୟସ୍କ ବ୍ୟକ୍ତି ଓ ରୋଗାକ୍ରାନ୍ତ ଲୋକଙ୍କୁ ପୁରୀ ନ ଆସିବାକୁ ଅନୁରୋଧ କରିଛନ୍ତି । ତେବେ ଏହାକୁ ନେଇ ଏବେ ବିବାଦ ଦେଖାଯାଇଛି । ଶ୍ରଦ୍ଧାଳୁଙ୍କ ପାଇଁ ସଠିକ୍ ବ୍ୟବସ୍ଥା ନ କରି ଏଭଳି ଅନୁରୋଧ କରିବା ଗ୍ରହଣୀୟ ନୁହେଁ ବୋଲି କୁହାଯାଉଛି ।
ଅଧିକ ପଢନ୍ତୁ ;- ଶ୍ରୀମନ୍ଦିରରେ ଭକ୍ତଙ୍କର ଭିଡ଼ ଅସମ୍ଭାଳ ହେବାରେ ଲାଗିଛି