ଶ୍ରୀମନ୍ଦିରରେ ଭକ୍ତଙ୍କର ଭିଡ଼ ଅସମ୍ଭାଳ ହେବାରେ ଲାଗିଛି । ପୁରୀ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଗତକାଲି ଛୁଟିଦିନ ଥିବାରୁ ଆଜି ସକାଳୁ ଶ୍ରୀମନ୍ଦିର ସିଂହଦ୍ବାର ଆଗରେ ଭକ୍ତଙ୍କର ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି ।
ସିଂହଦ୍ବାର ସେଡ୍ ଭିତରେ ଜାଗା ନ ଥିବାରୁ ମରିଚିକୋଟ ଛକ ପର୍ଯ୍ୟନ୍ତ ଭକ୍ତଙ୍କର ସମାଗମ ଦେଖିବାକୁ ମିଳିଛି । ମହାପ୍ରଭୁଙ୍କର ଟିକେ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନେ ଘଣ୍ଟା ଘଣ୍ଟା ଖରାରେ ଛିଡ଼ା ହୋଇ ରହିଥିଲେ । ଅନ୍ୟପଟରେ ଶ୍ରୀମନ୍ଦିର ଭିତରେ ବି ଭିତର ବେଢ଼ା ସମେତ ନାଟମଣ୍ଡପ, ଭିତର କାଠ ସବୁଠି ସ୍ଥିତି ଅତି ଗମ୍ଭୀର ହୋଇ ଯାଇଥିଲା । ଠେଲାପେଲା ଭିତରେ ଭକ୍ତମାନେ ଦର୍ଶନ କରିଥିଲେ । ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ୩ ରୁ ୪ ଘଣ୍ଟା ସମୟ ଲାଗିଥିଲା। ଏହାକୁ ନେଇ ଭକ୍ତମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।ଭକ୍ତମାନଙ୍କର କହିବା କଥା କଣ ପାଇଁ ଚାରିଦ୍ବାର ଖୋଲାଯାଉନାହିଁ ? ଯଦି ଭକ୍ତମାନେ ଚାରିଦ୍ବାର ଦେଇ ଶ୍ରୀମନ୍ଦିର ଭିତରକୁ ଦର୍ଶନ ପାଇଁ ଯାଉଛନ୍ତି । ତେବେ ପ୍ରଶାସନ ଅଘଟଣ ଘଟିବାର କାରଣ ଦର୍ଶାଉଛି । ସେହି ବାଟ ଦେଇ କ’ଣ ଲୋକେ ପ୍ରସ୍ଥାନ କରୁନାହାନ୍ତି ବୋଲି ଭକ୍ତମାନେ ଆଜି ପାଲଟା ପ୍ରଶ୍ନ କରିଛନ୍ତି । ଦିନକୁ ଦିନ ମହାପ୍ରଭୁଙ୍କୁ ଦର୍ଶନ କରିବା ଭକ୍ତଙ୍କ ପାଇଁ ଯନ୍ତ୍ରଣାଦାୟକ ହେବାକୁ ଲାଗିଛି । ପ୍ରତିଦିନ ଦର୍ଶନ କରିବା ପାଇଁ ସଂଘର୍ଷ କରିବାକୁ ପଡ଼ୁଛି ।ସେ ଭିତରେ ହେଉ କି ବାହାରେ ସବୁଦିନ ଠେଲାପେଲା ପରିସ୍ଥିତି ସୃଷ୍ଟି ହେଉଛି । ଦିନକୁ ଦିନ ଭକ୍ତଙ୍କୁ ଏହି ଯନ୍ତ୍ରଣା ଅସହ୍ୟ କରିଦେଉଛି । ଏଥିପ୍ରତି ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ନଜର ଦେଉନାହିଁ । ଭକ୍ତମାନେ ଟାଣ ଖରାରେ ବାହାରେ ଛିଡା ହୋଇ ଅତିଷ୍ଠ ହୋଇପଡୁଛନ୍ତି ।
ବୃଦ୍ଧ, ବୃଦ୍ଧା, ମହିଳା ଓ ସେମାନଙ୍କ ସାଙ୍ଗରେ ଆସିଥିବା ଶିଶୁମାନେ ବହୁତ କଷ୍ଟ ପାଉଥିବାର ପରିଲଖିତ ହେଉଛି । ଠେଲାପେଲାରେ ଭକ୍ତମାନେ ଅଣନିଃଶ୍ବାସୀ ହୋଇପଡ଼ୁଛନ୍ତି । ଯାହାର ଜ୍ବଳନ୍ତ ଚିତ୍ର ଆଜି ଦେଖିବାକୁ ମିଳିଛି । ଆଜି ହେଉଛି କାର୍ତ୍ତିକ ମାସର ଚତୁର୍ଥ ସୋମବାର । ହଜାର ହଜାର ସଂଖ୍ୟାରେ ଆଜି ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅପେକ୍ଷା କରି ରହିଥିଲେ । ଯେଉଁ ବୃଦ୍ଧ, ବୃଦ୍ଧାମାନେ ଆସିଥିଲେ, ସେମାନେ ମୁଣ୍ଡରେ ଗାମୁଛା, ଲୁଗା ପକାଇ ମହାବାହୁଙ୍କ ଦର୍ଶନ ପାଇଁ ଅପେକ୍ଷା କରିରହିଥିଲେ । ଆଉ କିଛି ଜଣ ବ୍ୟାରିକେଡ଼ ଭିତରେ ଫସି ରହିଥିଲେ । ଏପଟେ ସୂର୍ଯ୍ୟଙ୍କ ପ୍ରଚଣ୍ଡ ତାତି ଯୋଗୁ କିଛି ଭକ୍ତ ଅଚେତ ହୋଇଯାଇଥିଲେ । ତଥାପି ପ୍ରଶାସନିକ ଅଧିକାରୀଙ୍କ ନଜର ଏଥିପ୍ରତି ପଡ଼ି ନଥିଲା । କେହି ଏହାର ପ୍ରତିକାର ବ୍ୟବସ୍ଥା କରିବାକୁ ଟିକେ ବି ଆଗେଇ ଆସିନଥିଲେ । ଗୋଟିଏ ସମୟରେ ଭିଡ଼ ଏମିତି ଥିଲା ଯେ ଠେଲାପେଲା ଭିତରେ ଶ୍ରୀମନ୍ଦିର ସମ୍ମୁଖରେ ଥିବା ବାରିକେଡ୍ ଟି ଓଲଟି ଭକ୍ତଙ୍କ ଉପରେ ପଡ଼ିଯାଇଥିଲା । ପରେ କିଛି ଭକ୍ତ ଓ ସ୍ଥାନୀୟ ଲୋକେ ପହଞ୍ଚି ଏହି ବାରିକେଡ୍କୁ ସିଧା କରିଥିଲେ । କିନ୍ତୁ କୌଣସି ପୋଲିସ ଅଧିକାରୀ ଅଥବା ପ୍ରଶାସନିକ ଅଧିକାରୀ ଏହି ସ୍ଥିତି ନିୟନ୍ତ୍ରଣ ପାଇଁ ନଥିଲେ । ଏପଟେ ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଶ୍ରୀମନ୍ଦିର ଅବ୍ୟବସ୍ଥା ନେଇ କ୍ଷୋଭ ପ୍ରକାଶ କରିଛନ୍ତି ।
ଶ୍ରୀଜିଉଙ୍କ ଦର୍ଶନ କରିବା ପାଇଁ ଭକ୍ତମାନେ ଲମ୍ବା ଧାଡ଼ିରେ ଘଣ୍ଟା ଘଣ୍ଟା ଧରି ଛିଡ଼ା ହେବା ପ୍ରସଙ୍ଗରେ ଅତି ସମ୍ବେଦନଶୀଳ ହୋଇପଡିଛନ୍ତି ବିଶ୍ୱଭୂଷଣ । ସେ କହିଛନ୍ତି ମହାପ୍ରଭୁ ଓ ଭକ୍ତଙ୍କ ମଧ୍ୟରେ ଏଭଳି ପ୍ରତିବନ୍ଧକ ସୃଷ୍ଟି କରିବା ଏକ ପ୍ରକାର ଅନ୍ୟାୟ ଅଟେ । ତେବେ ଦେଖିବାକୁ ବାକି ରହିଲା ଯେ , କେବେ ଭକ୍ତମାନଙ୍କ ଦର୍ଶନ ପାଇଁ ପ୍ରଶାସନ ଉଚିତ ବ୍ୟବସ୍ଥା କରୁଛି ।
ଆଗକୁ ପଢନ୍ତୁ :- ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ହରିହର ବେଶ