ବୁଧବାର ବାରିପଦା ସହର ସ୍ଥିତ ଛଉ ପଡିଆ ଠାରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିଲେ ।
ପ୍ରଧାନମନ୍ତ୍ରୀ ନିର୍ବାଚନୀ ସଭାରେ ବିଜେଡିକୁ ଭିନ୍ନ ଢଙ୍ଗରେ ଶାଣିତ ସମାଲୋଚନା କରିଛନ୍ତି । ସିଧା ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବା ପ୍ରସଙ୍ଗ ଉଠାଇ ଏହା ପଛରେ ଏକ ବଡ ଷଡଯନ୍ତ୍ର ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଗତ ବର୍ଷକ ଭିତରେ ନବୀନ ବାବୁଙ୍କ ସ୍ୱାସ୍ଥ୍ୟର ବହୁତ ଅବନତି ହେଲାଣି। ନବୀନ ବାବୁ ଏବେ ନିଜେ କିଛି କରିପାରୁନାହାନ୍ତି ବୋଲି ପାଖ ଲୋକ କହୁଛନ୍ତି। ନବୀନଙ୍କ ସ୍ୱାସ୍ଥ୍ୟ ଖରାପ ପଛରେ ଯଦି କିଛି ଷଡ଼ଯନ୍ତ୍ର ଅଛି ତାହା ଜାଣିବାର ଅଧିକାର ସାରା ଓଡ଼ିଶା ଲୋକଙ୍କ ଅଛି। ରାଜ୍ଯରେ ଭାଜପା ସରକାର ଆସିଲେ ଏହାର ସତ ସାମନାକୁ ଆସିବ । ନବୀନଙ୍କ ନାଁରେ କ୍ଷମତା ଉପଭୋଗ କରୁଥିବା ଲୋକର ଏଥିରେ ହାତ ଅଛି କି ନାହିଁ ତାହାର ବି ଯାଞ୍ଚ କରାଯିବ ବୋଲି କହିଛନ୍ତି ମୋଦୀ ।
ପ୍ରଧାନମନ୍ତ୍ରୀ ଏକଥା ମଧ୍ଯ କହିଛନ୍ତି, ‘ ଆପଣମାନେ ବିଜେଡି ଉପରେ ୨୫ ବର୍ଷ ଭରସା କଲେ। କିନ୍ତୁ ସେ ସବୁକ୍ଷେତ୍ରରେ ଆପଣଙ୍କ ଭରସା ଭାଙ୍ଗିଲା। ତେଣୁ ବିଜେଡିର ୨୫ ବର୍ଷର ଶାସନରେ ଫୁଲଷ୍ଟପ୍ ଲଗାଇବାକୁ ଓଡ଼ିଶା ପ୍ରସ୍ତୁତ ରୁହନ୍ତୁ। ଜୁନ୍ ୧୦ରେ ଓଡ଼ିଶାରେ ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ନେବେ। ଓଡିଶାରେ ବିଜେପି ସରକାର ଆସିଲେ ଧାନର ଏମଏସପି ମୂଲ୍ୟ ୩୧୦୦, ବାର୍ଦ୍ଧକ୍ୟ ଭତ୍ତା ତିନି ହଜାର, ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ମିଳିବ ବୋଲି ପ୍ରତିଶୃତି ଦେଇଛନ୍ତି ।
ଆଜି ପ୍ରଧାନମନ୍ତ୍ରୀ ମୋଦୀ ସର୍ବ ପ୍ରଥମେ ଜୟ ଜଗନ୍ନାଥ କହି ନିଜର ଅଭିଭାଷଣ ରଖିଥିଲେ । ମାଆ କୀଚକେଶ୍ବରୀଙ୍କୁ ମଧ୍ୟ କୋଟି କୋଟି ପ୍ରଣାମ ଜଣାଇବା ସହିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଓ ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ଆଦରର ସହିତ ନମସ୍କାର ଜଣାଇଥିଲେ । ଏହାପରେ ସାନ୍ତାଳୀ ଭାଷାରେ ସମସ୍ତଙ୍କୁ ଜୁହାର କହିଥିଲେ । ଏଥିସହ ଭଞ୍ଜଭୂମି ମୟୂରଭଞ୍ଜରେ ଉପସ୍ଥିତ ଥାଇ ବହୁତ ଖୁସି ଅନୁଭବ କରିଥିବା ମୋଦୀ କହିଛନ୍ତି । ଆଜିର ଏହି ସମାବେଶରେ ସାଂସଦ ପ୍ରାର୍ଥୀ ନବଚରଣ ମାଝୀ ଏବଂ ରାଇରଙ୍ଗପୁର, ଯଶିପୁର , ମୋରୋଡା, ବାରିପଦା, ବଡ଼ସାହି, ବାଙ୍ଗିରିପୋଷି, ସାରସକଣା ଓ ଉଦଳା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ଜନତାଙ୍କୁ ଭୋଟ ମାଗିଥିଲେ ।