ଭୁବନେଶ୍ଵର : ଆମ ବସ୍ ଚଳାଇବେ ମହିଳା ଡ୍ରାଇଭର। ଏଥିପାଇଁ ସେମାନଙ୍କୁ ପୁନେରେ ତାଲିମ ଦିଆଯିବ। ରାଜ୍ୟରେ ମହିଳା ଯାତ୍ରୀଙ୍କ ସୁରକ୍ଷିତ ଯାତ୍ରା ଓ ସାମ୍ପ୍ରତିକ ପରିସ୍ଥିତିରେ ଜନ ପରିବହନର ବିଶେଷ ଚାହିଦାକୁ ଲକ୍ଷ୍ୟ କରି ମହିଳା ଚାଳକଙ୍କ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ତେଣୁ ଆସନ୍ତା ୩୧ ତାରିଖରେ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ ପକ୍ଷରୁ ୨୦ ଜଣ ମହିଳା ଇ-ବସ୍ ଚାଳନା ତାଲିମ ପାଇଁ ପୁନେ ଯାତ୍ରା କରିବେ ବୋଲି ସୂଚନା ରହିଛି। ସେମାନେ ନିଜ ଶିକ୍ଷା ଶେଷ କରିବା ପରେ ସେମାନଙ୍କୁ ବିଭିନ୍ନ ଜାଗାରେ ପୋଷ୍ଟିଙ୍ଗ କରାଯିବ।
ସୂଚନା ଅନୁସାରେ, ‘ଆମ ବସ୍ ସେବା’କୁ ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ସମୀକ୍ଷା ବୈଠକରେ କ୍ରୁଟ୍ ପରିଚାଳନା ନିର୍ଦ୍ଦେଶକ ତଥା ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ସଞ୍ଜୟ ବିଶ୍ଵାଳ, ମହା ପ୍ରବନ୍ଧକ ସହଦେବ ସମଧିଆ, ସ୍ବତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ସୁଶ୍ରୀ ପଲ୍ଲବୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ ବୈଠକରେ କ୍ରୁଟ୍ କାର୍ଯ୍ୟ ପଦ୍ଧତି ଓ ଆମ ବସ୍ ସେବା ଅନ୍ତର୍ଗତ ବିଭନ୍ନ ଗଠନମୂଳକ ପଦକ୍ଷେପ ଉପରେ ଆଲୋଚନା କରଯାଇଥିଲା। ଏପରିକି ଏଥର ମହିଳାମାନେ ‘ଆମ ବସ' ଚଳାଇବାକୁ ନିଏ ନିଷ୍ପତି ହୋଇଥିଲା।
ତେବେ ଆଗାମୀ ଦିନରେ ରାଜ୍ୟରେ ମହିଳା ଯାତ୍ରୀଙ୍କ ସୁରକ୍ଷିତ ଯାତ୍ରା ଓ ସାମ୍ପ୍ରତିକ ପରିସ୍ଥିତିରେ ଜନ ପରିବହନର ବିଶେଷ ଚାହିଦାକୁ ଲକ୍ଷ୍ୟ କରି ଶ୍ରୀ ମହାପାତ୍ର ମହିଳା ଚାଳକଙ୍କ ଉପରେ ଅଧିକ ଗୁରୁତ୍ଵ ଦେଇଛନ୍ତି। ଏହାସହିତପରିବହନ ସଂସ୍ଥା ଭାବେ କ୍ରୁଟ୍ ଦୁର୍ଘଟଣା ଗ୍ରସ୍ତ ପରିବାରକୁ ତୁରନ୍ତ ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରିବା ସହିତ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରଙ୍କ ଭରଣପୋଷଣ ନିମନ୍ତେ ୪ କୋଟିରୁ ଅଧିକ ଟଙ୍କାର ବୀମା ରାଶି ପ୍ରଦାନ କରିଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଖୁବ୍ ଶୀଘ୍ର କ୍ରୁଟ ଡିପୋ ପରିସରରେ ନିଜର ତାଲିମ୍ ଅନୁଷ୍ଠାନ ନିର୍ମାଣ ହେବ। ଯେଉଁଠି ବ୍ୟବହାରିକ, ଆଚରଣଗତ ପ୍ରଶିକ୍ଷଣ ସହିତ ଟ୍ରାଫିକ ନୀୟମ ଓ ଲେନ୍ ଡ୍ରାଇଭିଂ ଭଳି ଅନେଗୁଡ଼ିଏ ଦିଗରେ ଅଧିକ ଗୁରୁତ୍ଵ ପ୍ରଦାନ କରାଯିବ।
ଅଧିକ ପଢନ୍ତୁ : ପୁଣି ଜୀବନ ନେଲା ଥାର, ରାଜଧାନୀର ରାଜରାସ୍ତାରେ ଗଡ଼ିଲା ମୁଣ୍ଡ