ଭୁବନେଶ୍ୱର : ପୁଣି ଜୀବନ ନେଲା ଥାର। ରାଜଧାନୀର ରାଜରାସ୍ତାରେ ଗଡ଼ିଲା ମୁଣ୍ଡ। ଭୟଭୀତ ଅବସ୍ଥାରେ ରାଜଧାନୀବାସୀ। କ୍ୟାପିଟାଲ ହସ୍ପିଟାଲ ଛକରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ଦ୍ରୁତ ବେଗରେ ଆସି ଏକ ବୁଲେଟ ବାଇକକୁ ଧକ୍କା ଦେଲା ଦେଇଥିଲା ଥାର। ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତଙ୍କୁ ତୁରନ୍ତ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତ ଯୁବକ ହେଲେ ଓଲ୍ଡ ଟାଉନର ରାଜା ପେଦିନି ବୋଲି ଜଣାପଡିଛି। ପୋଲିସ ଘଟଣାସ୍ଥଳରେ ପହଂଚି ଥାର ଗାଡିକୁ ଅଟକ ରଖି ତଦନ୍ତ କରୁଛି।
ସୂଚନା ଅନୁସାରେ, ଏକ ବୁଲେଟରେ ୩ ଜଣ କ୍ୟାପିଟାଲ ହସ୍ପିଟାଲ ଛକ ଦେଇ ଘରକୁ ଯାଉଥିଲେ। ଏହି ସମୟରେ ବିପରୀତ ଦିଗରୁ ଅତି ଦ୍ରୁତଗତିରେ ଏକ ଥାର ଗାଡି ଆସି ବୁଲେଟକୁ ଧକ୍କା ଦେଇଥିଲା। ଯାହାଫଳରେ ଗାଡ଼ିରେ ଥିବା ୩ ଜଣ ଘୋଷାଡ଼ି ହୋଇ ରାସ୍ତା ପଡ଼ିଯାଇଥିବା ବେଳେ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଏହାସହିତ ଦୁଇଜଣ ଗୁରୁତର ଭାବେ ଆହତ ହୋଇଥିଲେ। ତେଣୁ ଉଭୟଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି ଚିକିତ୍ସା କରାଯାଉଛି।ତେବେ ଦୁର୍ଘଟଣା ଘଟାଇବା ପରେ ଥାର ଡ଼୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନରହନ୍ତା ଥାର୍ ଏବଂ ଦୁର୍ଘଟଣାଗ୍ରସ୍ତ ବୁଲେଟକୁ ଜବତ୍ କରି ତଦନ୍ତ ଆରମ୍ଭ କରିଛି। ସେହିପରି ସ୍ଥାନୀୟ ଅଞ୍ଚଳର ସିସିଟିଭି ଯାଞ୍ଚ୍ କରୁଛି କ୍ୟାପିଟାଲ ଥାନା ପୋଲିସ।
ତେବେ ଗତ ରାକ୍ଷୀ ପୂର୍ଣ୍ଣମୀ ଦିନ ମଧ୍ୟ ଥାର୍ ଧକ୍କାରେ ଜଣେ ୮ ବର୍ଷର ଝିଅର ମୃତ୍ୟୁ ହୋଇଥିଲା। ୨ ଜଣ ଗୁରୁତର ହୋଇ ଏମ୍ସରେ ଚିକିତ୍ସିତ ହେଉଥିଲେ। ମାତ୍ର ପରେ ଚିକିତ୍ସିତ ଅବସ୍ଥାରେ ମା’ର ଜୀବନ ଚାଲିଯାଇଥିଲା। ଏହି ଘଟଣାକୁ ନେଇ ପ୍ରତିବାଦ ପରେ ଦୁର୍ଘଟଣା ଘଟାଇଥିବା ଡ୍ରାଇଭରଙ୍କୁ ଗିରଫ କରିଥିଲା ପୋଲିସ। ତେବେ ପୁଣି ଆଉ ଥରେ ସେହିପରି ଏକ ନରହନ୍ତା ଥାରରେ ଜଣଙ୍କର ଜୀବନ ଚାଲିଯାଇଛି। ତେଣୁ ସାଧାରଣରେ ଭୟ ସୃଷ୍ଟି ହୋଇଥିବା ବେଳେ ତୁରନ୍ତ ଦୁର୍ଘଟଣା ଘଟାଇଥିବା ଥାର ଚାଳକକୁ ଗିରଫ କରିବା ପାଇଁ ଦାବି ହୋଇଛି।
ଅଧିକ ପଢନ୍ତୁ :ପାଳ ଗଦା ନିଆଁରେ ପୋଡ଼ି ହୋଇ ନବବଧୂ ଜୀବନ୍ତଦଗ୍ଧ