ଆଜିକାଲି ଯୁବପିଢୀମାନେ ଅନଲାଇନ ଗେମ୍ ଖେଳିବାରେ ମାତିଛନ୍ତି । ତେବେ ଅଧିକାଂଶ ସମୟରେ ସେମାନେ ଗେମ୍ ଖେଳି ଏଥିରେ ଲକ୍ଷ ଲକ୍ଷ ଟଙ୍କା ଲଗାଇ ହାରିଯାଉଛନ୍ତି । ଏହାପରେ ସେମାନେ ପାଲଟିଯାଉଛନ୍ତି ଅପରାଧୀ । ତେବେ ଯୁବପିଢୀ ଅନଲାଇନ୍ ଗେମରୁ ଅପରାଧୀ ପାଲଟୁଥିବା ନେଇ ଏଭଳି ବୟାନ୍ ଦେଇଛନ୍ତି ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ । ପୋଲିସର କହିବାନୁଯାୟୀ, ପ୍ରାୟ ତଦନ୍ତ ହେଉଥିବା ଅଧିକାଂଶ ମାମଲାରେ ଯୁବପିଢୀ ସଂମ୍ପୃକ୍ତ ରହିଛି । ଆଉ ଏହା ଫଛର କାରଣ ହେଉଛି ଅନଲାଇନ୍ ଗେମ୍ ।
ଯୁବପିଢୀମାନେ ଅନଲାଇନରେ ଗେମ୍ ଖେଳି ହାରିଯିବା ପରେ ଧିରେ ଧିରେ ଅପରାଧ ଦୁନିଆରେ ପାଦ ଦେଉଥିବା ଦେଖିବାକୁ ମିଳିଛି । ଧାର କରଜ ସୁଝିବା ପାଇଁ ବ୍ୟାଙ୍କ ଡକାୟତ, ଚୋରୀ, ଚେନ୍ ଲୁଟ୍ କରିବାକୁ ବି ପଛାଉନାହାନ୍ତି । ବରଗଡରେ ଏକ ବ୍ୟାଙ୍କ ଡକାୟତିରେ ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କଲା ସମୟରେ, ଡାକୟତି ପଛର କାରଣ କହିଥିଲେ ଆଇ.ଜି । ଗିରଫ ପାଂଚଜଣ ଡକାୟତ, ଅଭ୍ୟାସଗତ ଡକାୟତ ନଥିଲେ । ଅନଲାଇନ ଗେମ୍ ଖେଳି ୧୨ ଲକ୍ଷ ଟଙ୍କା ହାରିବା ପରେ ଟଙ୍କା ପରିଶୋଧ ପାଇଁ ବ୍ୟାଙ୍କ ଲୁଟର ଉଦ୍ୟମ କରିଥିଲେ ।
ତେବେ ଏହି ଘଟଣାରେ ବରଗଡ ପୋଲିସ ସମସ୍ତ ଡକାୟତଙ୍କୁ କାବୁ କରିଛି । ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ, ଦୁଇଟି ଜୀବନ୍ତ ଗୁଳି , ମାରଣାସ୍ତ୍ର ଓ ଦୁଇଟି ନକଲି ବନ୍ଧୁକ ଜବତ କରାଯାଇଛି । ଗିରଫ ୫ ଜଣ ଯୁବକଙ୍କୁ ବ୍ୟାଙ୍କ ଡକାୟତି ମାମଲାରେ କୋର୍ଟ ଚାଲାଣ କରାଯାଇଛି ।