ଭୁବନେଶ୍ୱର: ରାଜ୍ୟ ସ୍ତରୀୟ ଭାରତୀୟ ଭାଷା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ତାମିଲ୍ ମହାକବି ସୁବ୍ରମଣ୍ୟ ଭାରତୀଙ୍କ ଜୟନ୍ତୀ ଅବସରରେ ଆଜି ଭାରତୀୟ ଭାଷା ଉତ୍ସବ ପାଳନ କରାଯାଉଛି। ଚଳିତ ବର୍ଷର ଭାରତୀୟ ଭାଷା ମହୋତ୍ସବର ବିଷୟବସ୍ତୁ ହେଉଛି “ଭାଷା ମାଧ୍ୟମରେ ଏକତା” । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ ଯୋଗଦେଇ କହିଛନ୍ତି କି ଇଂରାଜୀ ଭାଷା ଲିଙ୍କ୍ ଲାଙ୍ଗୁଏଜ୍ ହୋଇପାରେ, କିନ୍ତୁ ମାତୃଭାଷାର ବିକଳ୍ପ ହୋଇପାରିବ ନାହିଁ । ଆଜିକାଲି ପିଲାମାନେ ଇଂରାଜୀ ଭାଷାକୁ ଯୋଗାଯୋଗର ଏକ ମାଧ୍ୟମ ଭାବେ ବ୍ୟବହାର ନକରି, ଇଂରାଜୀ କହିବାକୁ ଏକ ଫେସନ୍ ଭାବେ ଗ୍ରହଣ କରୁଛନ୍ତି । ଇଂରାଜୀ ମିଡିଅମ୍ରେ ପଢୁଥିବା ଅନେକ ଛାତ୍ରଛାତ୍ରୀ ଓଡ଼ିଆ ଭାଷା ପଢ଼ିବାରେ ଅକ୍ଷମ । ଏହା ଦୁଃଖର ବିଷୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଭାରତୀୟ ଭାଷା ଉତ୍ସବ ଏକ ଉତ୍ସବ ନୁହେଁ, ଆମ ସଂସ୍କୃତି ଏବଂ ଗୌରବର ପ୍ରତୀକ । ଭାଷା ଭିତ୍ତିକ ବିବିଧତା ହେଉଛି ଆମର ସର୍ବଶ୍ରେଷ୍ଠ ଶକ୍ତି । ଏହାକୁ କାୟ ମନୋବାକ୍ୟରେ ଅନୁସରଣ କରି ଆମେ ଆଗକୁ ଯିବାର ସ୍ଵପ୍ନ ଦେଖିବା ହିଁ ଆଜିର ଆବଶ୍ୟକତା ।
ସ୍ଵର୍ଗତ ଭାରତୀ ଯଦିଓ ତାମିଲ ସାହିତ୍ୟକୁ ନିଜ ପ୍ରତିଭା ବଳରେ ନିଜ ସାରସ୍ଵତ ସାଧନାରେ ଉଦ୍ବୁଦ୍ଧ କରିଛନ୍ତି, ସେ ଅନ୍ୟାନ୍ୟ ଭାରତୀୟ ଭାଷାକୁ ମଧ୍ୟ ଋଦ୍ଧିମନ୍ତ କରିଛନ୍ତି। ସେ ନିଜର ସାହିତ୍ୟ ମାଧ୍ୟମରେ ସମାଜ ସଂସ୍କାର ଉପରେ ଗୁରୁତ୍ୱ ଆରୋପ କରୁଥିଲେ।
ଭାଷା ସର୍ବଦା ଆମ ସଂସ୍କୃତି, ଇତିହାସ ଏବଂ ପରମ୍ପରାର ସଂରକ୍ଷଣ କରି ଆସୁଛି । ଓଡ଼ିଆ, ଷଷ୍ଠ ଭାରତୀୟ ଭାଷା ଭାବରେ ଏକ ସ୍ଵତନ୍ତ୍ର ଓ ଅନ୍ୟ ଭାଷା ଦ୍ବାରା ପ୍ରଭାବିତ ହୋଇ ନଥିବା ଭାଷା ଭାବରେ ଶାସ୍ତ୍ରୀୟ ମାନ୍ୟତା ପାଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଓଡିଆ ଭାଷାର କ୍ରମ ବିକାଶ ଉପରେ ଆଲୋକ ପାତ କରିଥିଲେ।
ଜାତୀୟ ଶିକ୍ଷା ନୀତି ୨୦୨୦ରେ ମାତୃଭାଷାକୁ ପାଠ୍ୟକ୍ରମରେ ସାମିଲ କରିବାକୁ କୁହାଯାଇଛି । ଏଥିରେ ମାତୃଭାଷା ଏବଂ ଆଞ୍ଚଳିକ ଭାଷାକୁ ଶିକ୍ଷା ମାଧ୍ୟମରେ ପ୍ରୋତ୍ସାହିତ କରିବାର ବ୍ୟବସ୍ଥା ରହିଛି । ଭାଷାର ବିକାଶକୁ ଆମେ ପ୍ରାଥମିକତା ଦେଇଛୁ । ଆମ ସରକାର ବିଦ୍ୟାର୍ଥୀଙ୍କୁ ଡାକ୍ତରୀ ଏବଂ ବୈଷୟିକ ଶିକ୍ଷା ଭଳି କଠିନ ପାଠ୍ୟକ୍ରମକୁ ଆଞ୍ଚଳିକ ଭାଷାରେ ପଢିବାର ସୁଯୋଗ ପ୍ରଦାନ କରୁଛନ୍ତି । ଏହି ପଦକ୍ଷେପ ଛାତ୍ରଛାତ୍ରୀଙ୍କର ଶିକ୍ଷାଗତ ଏବଂ ମାନସିକ ବିକାଶକୁ ବୃଦ୍ଧି କରିବ । ମାତୃଭାଷା ଏବଂ ଆଞ୍ଚଳିକ ଭାଷା ସଂରକ୍ଷଣ ପାଇଁ ଆମେ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରୁଛୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
କାର୍ଯ୍ୟକ୍ରମରେ ଯୋଗଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ ଭାଷା ଆମ ସଂସ୍କୃତି, ଐତିହ୍ୟ ଓ ଚିନ୍ତାଧାରାକୁ ପ୍ରତିଫଳିତ କରେ । ଆମର ଐତିହ୍ୟର ବିବିଧତାକୁ ଜାଣିବା ପାଇଁ ଏହି ଭଳି ଭାଷା ଉତ୍ସବ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।
ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି । ପୋଷ୍ଟର ମେକିଙ୍ଗରେ ଯାଜପୁର ବରୁଣେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟର ଅନ୍ନପୂର୍ଣ୍ଣା ମିଶ୍ର ପ୍ରଥମ ପୁରସ୍କାର, ଭଦ୍ରକ ଏଲ.ଏନ.କେ.ଏସ୍ ହାଇସ୍କୁଲର ଅମୀୟ ଦାସ ଓ ଖୋର୍ଦ୍ଧା ବି.ଏମ୍ ହାଇସ୍କୁଲର ବିଷ୍ଣୁପ୍ରସାଦ ଦାସ ଦ୍ୱତୀୟ ପୁରସ୍କାର, ବାଲେଶ୍ୱର ଟାଉନ ସରକାରୀ ହାଇସ୍କୁଲର ସମିର ବେହେରା ଓ ବରଗଡ ନିଶାମଣୀ ସରକାରୀ ହାଇସ୍କୁଲ ସାଇନନ୍ଦନ ସାହୁ ତୃତୀୟ ପୁରସ୍କାର ଗ୍ରହଣ କରିଛନ୍ତି । ସେହିପରି ଜର୍ଣ୍ଣାଲ ମେକିଙ୍ଗ ପାଇଁ ଜିଲ୍ଲା ସ୍ତରରେ ଦଳଗତ ପ୍ରତିଯୋଗୀତା ହେଇଥିଲା। ଏଥିରେ କଟକ ଜିଲ୍ଲା ପ୍ରଥମ ପୁରସ୍କାର, ସମ୍ବଲପୁର ଦ୍ୱିତୀୟ ପୁରସ୍କାର ଓ ନୟାଗଡ ତୃତୀୟ ପୁରସ୍କାର ପାଇଥିଲେ।
କାର୍ଯ୍ୟକ୍ରମ ଆରମ୍ଭରୁ ଲୋକସେବା କନ୍ଭେନ୍ସନ୍ ହଲରେ ଓଡିଶାର ବିଭିନ୍ନ ଭାଷା, ବିଶେଷ କରି ଆଦିବାସୀ ଭାଷାଗୁଡିକର ପୁସ୍ତିକା ଓ ବର୍ଣ୍ଣମାଳାଗୁଡିକୁ ପ୍ରଦର୍ଶନ କରାଯାଇଥିଲା ।