ପୁରୀ: ଆଜିଠୁ ଶ୍ରୀକ୍ଷେତ୍ରରେ ପଞ୍ଚୁକ ବ୍ରତ। ଏହିବର୍ଷ ପଞ୍ଚୁକ ୫ଦିନ ପରିବର୍ତ୍ତେ ୪ଦିନ ଅନୁଷ୍ଠିତ ହେବ। ପଞ୍ଚକର ପ୍ରଥମ ଦିନ ତଥା ବଡଏକାଦଶୀ ତିଥିରେ ଶ୍ରୀଜିଉଙ୍କ ଠିଆକିଆ ବେଶ ବା ଲଷ୍ମୀନାରାୟଣ ବେଶରେ ସଜିତ କରାଯାଇଛି । ଏହି ବ୍ରତରେ ମହାପ୍ରଭୁଙ୍କ ବାଙ୍କଚୂଡ ବେଶକୁ ବାଦ୍ ଦିଆଯାଇଥଛି ।
ତେବେ ଆଷାଢ ଶୁକ୍ଳପକ୍ଷ ଏକାଦଶୀରେ ମହାପ୍ରଭୁ ଶୟନ କରିଥିବା ବେଳେ କାର୍ତ୍ତିକ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ମହାପ୍ରଭୁ ନିଦ୍ରାରୁ ଉଠିଥାନ୍ତି । ଶାସ୍ତ୍ର ଅନୁସାରେ ଆଜିଠାରୁ ଶୁଭ ସମୟ ଆରମ୍ଭ ହେଉଥିବାରୁ ସମସ୍ତ ମାଙ୍ଗଳିକ କାର୍ଯ୍ୟ ଆରମ୍ଭ ହୋଇଥାଏ।
ଦୀର୍ଘ ୪ମାସପରେ ମହାପ୍ରଭୁ ଶୟନରୁ ଉଠୁଥିବାରୁ ମହାପ୍ରଭୁ ମହାଲକ୍ଷ୍ମୀଙ୍କ ସହ ଭକ୍ତଙ୍କୁ ଦର୍ଶନ ଦିଅନ୍ତି। ଅନ୍ୟପଟେ ପଞ୍ଚକ ଅବସରରେ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ମାର୍କେଟ ଛକଠାରୁ ବ୍ୟାରିକେଡ଼ କରାଯାଇଛି। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ତରଫରୁ ୩୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।
ଏହି ପାଞ୍ଚ ଦିନକୁ ଭୀଷ୍ମ ପଞ୍ଚୁକ ବୋଲି କୁହାଯାଏ, ଏବଂ ଏହାର ପୌରାଣିକ ରହସ୍ୟ ମଧ୍ୟ ହେଉଛି – ବାଣ ଶଯ୍ୟା ଉପରେ ଶାୟିତ ପିତାମହ ଭୀଷ୍ମ ରାଜଧର୍ମ, ମୋକ୍ଷଧର୍ମ, ଦାନଧର୍ମ ବର୍ଣ୍ଣନା କରିଥିଲେ, ଯାହାକୁ ପାଣ୍ଡବମାନଙ୍କ ସହିତ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଶୁଣିଥିଲେ ଓ ଏଥିରେ ପ୍ରସନ୍ନ ହୋଇ ଶ୍ରୀବାସୁଦେବ କହିଲେ ଆପଣ ଧନ୍ୟ ପିତାମହ ଓ ଆପଣ କାର୍ତ୍ତିକ ଏକାଦଶୀ ଦିନ ଜଳର ଯାଚନା କରିଛନ୍ତି। ଏହାପରେ ପିତାମହ ପାଣି ମାଗିବାରୁ ଅର୍ଜୁନ ବାଣ ସାହାଯ୍ୟରେ ଭୂମି କ୍ଷେପଣ କରି ଜଳ ପ୍ରଦାନ କରିଥିଲେ। ଏଥିସହ ଏହି ୫ ଦିନରେ ଯିଏ ଆପଣଙ୍କୁ ଜଳ ଅର୍ଘ୍ୟ ପ୍ରଦାନ କରିବେ ସେ ଆପଣଙ୍କୁ ତୁପ୍ତ କରିପାରିବେ। ଏହି କାରଣରୁ ସେବେଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ୫ ଦିନ ଭୀଷ୍ମ ପଞ୍ଚୁକ ଭାବେ ମଧ୍ୟ ପାଳନ କରାଯାଇଥାଏ। ଅନେକ ବ୍ୟକ୍ତି ସନ୍ତାନ ପ୍ରାପ୍ତି ଉଦ୍ଦେଶ୍ୟରେ ଏହି ବ୍ରତ ପାଳନ କରିଥାନ୍ତି।