ମୟୁରଭଞ୍ଜ: ଟ୍ରେନ ଧକ୍କାରେ ଦନ୍ତା ହାତୀ ମୃତ। ଶନିବାର ରାତିରେ ଶାଲିମାର ଏକ୍ସପ୍ରେସ ଭଞ୍ଜପୁର ଅଭିମୁଖେ ଯାଉଥିବା ସମୟରେ ବେତନଟୀ ଠାରୁ ୪କିମି ଦୂର ଆଗ୍ରିଆ ରେଳ କ୍ରୋସିଂ ନିକଟରେ ଏକ ଦନ୍ତା ହାତୀକୁ ଧକା ଦେଇଥିଲା ଫଳରେ ଦନ୍ତା ହାତୀର ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ଘଟିବା ପରେ ଶାଲିମାର ଟ୍ରେନ କିଛି ସମୟ ଅଟକିବା ପରେ ପୁଣି ଭଞ୍ଜପୁର ଅଭିମୁଖେ ଯାଇଛି। ସ୍ଥାନୀୟ ଗ୍ରାମବାସୀ ଘଟଣା ସ୍ଥଳରେ ପହଁଚି ବେତନଟୀ ରେଞ୍ଜର ଅଫିସକୁ ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ, ବେତନଟୀ ବନଞ୍ଚଳରେ ହାତୀ ମାନେ ବିଭିନ୍ନ ସମୟରେ ଜନବସତି, ରାଜପଥ, ସଡକପଥ ଓ ରେଳପଥ ଉପରେ ଯାତାୟତ କରୁଥିଵା ବେଳେ ବନବିଭାଗ ଠିକ ଦୃଷ୍ଟି ଦେଇନଥିବାରୁ ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।ବେତନଟୀ ରେଞ୍ଜ ଇଲାକାରେ ୩୦ରୁ ଉର୍ଦ୍ଧ୍ୱ ହାତୀ ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ବିଚରଣ କରୁଥିବା ବେଳେ ମୁଖ୍ୟ ଦଳରୁ ଅଲଗା ହୋଇ ଏକ ବିଶାଳ ଦନ୍ତାହାତୀ ଶନିବାର ସର୍ବଣା, ବିଶ୍ରାମପୁର ଇଲାକାରେ ବିଚରଣ କରୁଥିଲା l ସାଢେ ଏଗାରଟା ସମୟରେ ପଶ୍ଚିମବଙ୍ଗ ସାଲିମାରରୁ ବାରିପଦା ଅଭିମୁଖେ ଯାଉଥିବା ଦ୍ରୁତଗାମୀ ସାଲିମାର ଏକ୍ସପ୍ରେସ ଆଗ୍ରିଆ ରେଳ ଫାଟକ ଠାରେ ରେଳ ଧାରଣା ଅତିକ୍ରମ କରୁଥିବା ବିଶାଳ ଦନ୍ତାହାତୀକୁ ଧକ୍କା ଦେଇଥିଲା l
ଦୁର୍ଘଟଣାରେ ଗୋଠଛଡା ବିଶାଳ ଦନ୍ତାହାତୀର ମୃତ୍ୟୁ ଘଟିଥିବା ବେଳେ ବନବିଭାଗ ଏବଂ ରେଳ ବିଭାଗ ମଧ୍ୟରେ ସମନ୍ୱୟର ଅଭାବରୁ ଏହି ଦୁର୍ଘଟଣା ଘଟିଥିବା ନେଇ ଉତ୍ତେଜନା ପ୍ରକାଶ ପାଇଥିଲା l ଖବରପାଇ ବାରିପଦା ବନଖଣ୍ଡର ଏସିଏଫ ଶେଖ ମେହେରବାନ ଅଲ୍ଲୀ, ଡେପୁଟି ରେଞ୍ଜର ଧୃବେନ୍ଦ୍ର ନାଥ ନାୟକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତିl