ଭୁୁବନେଶ୍ୱର: ବହୁ ଚର୍ଚ୍ଚିତ ପୋଲିସ ଏସଆଇ ନିଯୁ୍କ୍ତି କେଳେଙ୍କାରୀ ଘଟଣାରେ କ୍ରାଇମବ୍ରାଞ୍ଚକୁ ମିଳିଛି ବହୁତ ବଡ ସଫଳତା । ପ୍ରାୟ ଏକ ମାସ ପରେ ଗିରଫ ହୋଇଛି ପୋଲିସ ଏସଆଇ ପରୀକ୍ଷା କେଳେଙ୍କାରୀର ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟୀ । ନିବାର କ୍ରାଇମବ୍ରାଞ୍ଚ ଶଙ୍କର ପୃଷ୍ଟିକୁ ନେପାଳ ସୀମା ଉତ୍ତରାଖଣ୍ଡରୁ ଗିରଫ କରିଛି । ଏହି ମାମଲାରେ ପୂର୍ବର ପରୀକ୍ଷାର୍ଥୀଙ୍କ ୧୨୦ରୁ ଅଧିକ ଗିରଫ ହୋଇଥିଲେ । ଏବେ ମୁଖ୍ୟ ଅଭିଯୁକ୍ତ ଗିରଫ ପରେ ଆହୁରି ଅଧିକ ତଥ୍ୟ ହାସଲ କରିବ ବୋଲି ଆଶା କରାଯାଉଛି।
ସୂଚନାଯୋଗ୍ୟ କିଛି ଦିନ ତଳେ ବହୁ ଚର୍ଚ୍ଚିତ ପୁଲିସ ସବ୍ ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷାର ତଦନ୍ତ ଭାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ଅର୍ପଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁପାରିସ କରିଥିଲେ । ଏହି ସମ୍ବନ୍ଧିତ ଦୁର୍ନୀତିର ଚେର ବିଭିନ୍ନ ରାଜ୍ୟକୁ ବ୍ୟାପିଛି, ଆନ୍ତ-ରାଜ୍ୟ ଅପରାଧୀ ସଂଗଠନଙ୍କ ସଂପୃକ୍ତି ଥିବାର ସନ୍ଦେହ କରାଯାଉଛି। ଏହି ଦୁର୍ନୀତିର ଚେର ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ସହିତ ଅନ୍ୟାନ୍ୟ ରାଜ୍ୟକୁ ମଧ୍ୟ ବ୍ୟାପି ଥାଇପାରେ। ଏହା ସହିତ ଏହି ଦୁର୍ନୀତିରେ ଆନ୍ତ-ରାଜ୍ୟ ସଂଗଠିତ କ୍ରିମିନାଲ ଗ୍ୟାଙ୍ଗର ସଂପୃକ୍ତି ଥିବା ନେଇ ମଧ୍ୟ ସନ୍ଦେହ କରାଯାଉଛି।
ସୂଚନାଯୋଗ୍ୟ, ୨୦୨୪ ମସିହାରେ ଏସ୍ଆଇ ପରୀକ୍ଷା ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପରୀକ୍ଷା ଆୟୋଜନ ଦାୟିତ୍ୱ ଓଡ଼ିଶା ପୁଲିସ ରିକ୍ରୁଟ୍ମେଣ୍ଟ୍ ବୋର୍ଡ (ଓପିଆର୍ବି) ନେଇଥିଲା । ଓପିଆରବି ପରୀକ୍ଷା ପରିଚାଳନା ଆଇଟିଆଇ ନାମକ ସଂସ୍ଥାକୁ ଦେଇଥିଲା । ଆଇଟିଆଇ ପରେ ଏହାକୁ ସିଲିକନ୍ ଟେକ୍ଲାବ୍ ପ୍ରାଇଭେଟ୍ ଲିମିଟେଡ୍କୁ ହସ୍ତାନ୍ତର କରିଥିଲା । ପରେ ଏହାର ଦାୟିତ୍ୱ ପାନ୍ସଫ୍ଟ ଟେକ୍ ପ୍ରାଇଭେଟ୍ ଲିମିଟେଡ୍ ନେଇଥିଲା । ୨୦୨୫ ମାର୍ଚ୍ଚରେ ପରୀକ୍ଷା ହେବାର ଥିଲା । କିନ୍ତୁ ପରୀକ୍ଷା ୩ ଥର ବାତିଲ ହୋଇଥିଲା ।
ଏହାରି ମଧ୍ୟରେ ସେପ୍ଟେମ୍ବର ମାସରେ ଦୁଇଟି ପର୍ଯ୍ୟାୟରେ ୨୧୧ ଜଣ ପରୀକ୍ଷାର୍ଥୀଙ୍କୁ ଆନ୍ଧ୍ରପ୍ରଦେଶକୁ ନେଇଥିଲେ ଦଲାଲ୍ । ସେଠାରେ ଲିଖିତ ପରୀକ୍ଷା ପାଇଁ ତାଲିମ ଦିଆଯାଇଥିଲା । ତୃତୀୟ ପର୍ଯ୍ୟାୟରେ ସେପ୍ଟେମ୍ବର ୩୦ ତାରିଖରେ ୩ଟି ବସ୍ରେ ୧୧୪ ଜଣ ପରୀକ୍ଷାର୍ଥୀ ଓ ୩ ଜଣ ଦଲାଲ୍ ଅନ୍ଧ୍ରପ୍ରଦେଶ ଯିବାକୁ ବରମୁଣ୍ଡାରୁ ବାହାରିଲେ । ସେମାନେ ଆନ୍ଧ୍ରପ୍ରଦେଶରେ ପହଞ୍ଚି ଯାଇଥିଲେ । ଏହି ଖବର ପ୍ରଚାର ହେବା ପରେ ବ୍ରହ୍ମପୁର ପୁଲିସ୍ ଆନ୍ଧ୍ରପ୍ରଦେଶ ପୁଲିସ୍ ସହ ଯୋଗାଯୋଗ କରି ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଘଟଣାକୁ ନେଇ ରାଜ୍ୟରେ ଚହଳ ପଡିଥିଲା ।
ଶ୍ଵସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପରୀକ୍ଷାର୍ଥୀଙ୍କୁ ୩ଟି ବସରେ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ନିଆଯାଉଥିଲା। ସେଠାରେ ରଖି ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପତ୍ର ସହ ଉତ୍ତର କୁହାଯାଇଥାନ୍ତା। ପ୍ରଶ୍ନ ଉତ୍ତର ଅଭ୍ୟାସ ପରେ ସେମାନଙ୍କୁ ଆଣି ପରୀକ୍ଷା କେନ୍ଦ୍ରରେ ଛାଡ଼ିବାକୁ ଯୋଜନା ହୋଇଥିଲା। ଏଥିପାଇଁ ମୋଟା ଅଙ୍କର ଅର୍ଥ ପରୀକ୍ଷାର୍ଥୀଙ୍କ ଠାରୁ ନିଆଯାଇଥିବା ଚର୍ଚ୍ଚା ହେଉଛି। ହେଲେ ସେମାନେ ଠିକଣା ଜାଗାରେ ପହଞ୍ଚିବା ପୂର୍ବରୁ ପୁଲିସ ତାଙ୍କୁ ଉଠାଇ ଆଣିଥିଲା। ପ୍ରତି ପରୀକ୍ଷାର୍ଥୀ ପିଛା ଏମାନେ ୨୫ ଲକ୍ଷ ଟଙ୍କା ଡିଲ୍ କରିଥିଲା । ୫ରୁ୧୦ ଲକ୍ଷ ଟଙ୍କା ଅଗ୍ରୀମ ନେଇଥିଲେ । ମୁନା ଓ ଶଙ୍କରକୁ ଛାଡିଲେ କିଛି ଆଇପିଏସ୍, ନେତା ଓ କୋଚିଂ ସେଣ୍ଟର ମାଲିକଙ୍କ ନାଁ ପଦାକୁ ଆସିଲା । ବର୍ତ୍ତମାନ ପର୍ୟ୍ୟନ୍ତ ହୋଇଥିବା ତଦନ୍ତରୁ ଜଣାଯାଇଛି ଯେ, ଏହି ଦୁର୍ନୀତିର ଚେର ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ସହିତ ଅନ୍ୟାନ୍ୟ ରାଜ୍ୟକୁ ମଧ୍ୟ ବ୍ୟାପିଥାଇପାରେ ।