ଟ୍ରିପଲ ରାଇଡିଂ ହେଲା ବିପଦ । ବ୍ୟାରିକେଡ୍ ପିଟିହୋଇ ଜଣେ ମୃତ ୨ଜଣ ଗୁରୁତର । ଭୁବନେଶ୍ୱର ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବାଇକ୍ରେ ଟ୍ରିପଲ ରାଇଡିଂ ଓ ଦ୍ରୁତଗତି ଯୋଗୁ ଜଣେ ଯୁବକଙ୍କ ଜୀବନ ଯାଇଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି । ମୃତ ଯୁବକଙ୍କ ଘର ବାଟଭୁଆଶୁଣି ମନ୍ଦିର ନିକଟ ଓଗାଳପଡ଼ାରେ ବୋଲି ଜଣାପଡ଼ିଛି । ତମାଣ୍ଡୋ ଥାନା ପୁଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ଆହତ ଯୁବକଙ୍କୁ ଏମ୍ସ ହସ୍ପିଟାଲ ପଠାଇଛି ।
ସୂଚନା ଅନୁଯାୟୀ, ୩ଜଣ ଯୁବକ ଏକ ସିବିଜେଡ୍ ବାଇକ୍ରେ ତମାଣ୍ଡୋ ବଜାରରୁ ଖୋର୍ଦ୍ଧା ଆଡ଼େ ଦ୍ରୁତଗତିରେ ଯାଉଥିଲେ। ଆଦିତ୍ୟ ହୁଣ୍ଡାଇ ସାମନା ରାସ୍ତା କାମ ଚାଲିଥିବାରୁ ରାସ୍ତା ଅଧାକୁ ସିମେଣ୍ଟ ବ୍ୟାରିକେଡ୍ ଦ୍ୱାରା ବନ୍ଦ କରାଯାଇଛି । ଚାଳକ ଜାଣିନପାରି ସିଧାସଳଖ ଉକ୍ତ ବ୍ୟାରିକେଡ୍ରେ ବାଇକ୍କୁ ପିଟି ଦେଇଥିଲେ । ଦ୍ରୁତଗତିରେ ଯାଉଥିବାରୁ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବାଇକ୍ରେ ନିଆଁ ଲାଗି ଯାଇଥିଲା । ୩ ବାଇକ୍ ଆରୋହୀ ବ୍ୟାରିକେଡ୍ରେ ପିଟି ହୋଇଯାଇଥିଲେ। ଘଟଣାସ୍ଥଳରେ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଥିଲେ । ଗୁରୁତର ଆହତଙ୍କ ମଧ୍ୟରୁ ଜଣେ ରାସ୍ତାରେ ପଡ଼ି ଛଟପଟ ହେଉଥିଲେ । ଅନ୍ୟ ଜଣଙ୍କ ଛୋଟେଇ ଛୋଟେଇ ଅନ୍ଧାରରେ କୁଆଡ଼େ ପଳାଇଥିଲେ ।ସ୍ଥାନୀୟ ଲୋକେ ଖବର ଦେବାରୁ ପୁଲିସ ପହଞ୍ଚି ମୃତଦେହ ଓ ରାସ୍ତାରେ ଛଟପଟ ହେଉଥିବା ଯୁବକଙ୍କୁ ଏମ୍ସ ହସ୍ପିଟାଲ ପଠାଇଥିଲା । ଅନ୍ୟ ଆହତ ଯୁବକଙ୍କୁ ପୁଲିସ ଖୋଜିଲେ ମଧ୍ୟ ତାଙ୍କର ପତ୍ତା ମିଳିନାହିଁ । ତେବେ ବାଇକ ଆରୋହୀଙ୍କ ନିଶାରେ କି ଜାଣିନପାରି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।
ଅଧିକ ପଢନ୍ତୁ ;ମୋ ବସ ଓ କାର ଧକ୍କାରେ ଜଣେ ମୃତ ଓ ୫ ଗୁରୁତର