ଓଡ଼ିଶାକୁ ବାତ୍ୟାର ଭୟ ନଥିବା ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି । କେବଳ ଯାହା ଉପକୂଳ ଓ ଉତ୍ତର ଓଡ଼ିଶାରେ ହାଲୁକା ବର୍ଷା ହେବ। ଏହି ବାତ୍ୟାକୁ ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ବିଜ୍ଞାନୀ ଉମାଶଙ୍କର ଦାଶ। ସେ କହିଛନ୍ତି ଯେ ଓଡ଼ିଶାରେ ଉପରେ ସମ୍ଭାବ୍ୟ ବାତ୍ୟାର କୌଣସି ପ୍ରଭାବ ପଡ଼ିବ ନାହିଁ। ସ୍ଥଳଭାଗରେ ପବନ ହେବନି। କେବଳ ସମୁଦ୍ର ଭିତରେ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ସେ ଆହୁରି କହିଛନ୍ତି ଯେ, ଏବେ ଯେଉଁ ଘୂର୍ଣ୍ଣିବଳୟ ଅଛି, ତାହା ଆଜି ରାତିରେ ବାତ୍ୟାର ରୂପ ନେଇପାରେ। ଏବେ ତାହା ପାରାଦ୍ବୀପରୁ ୪୦୦ କିଲୋମିଟର ଦୂରରେ ଅଛି। ଘନୀଭୂତ ହୋଇ ଏହା ବାଂଲାଦେଶ ଆଡ଼କୁ ମୁହାଁଇବ। ସମ୍ଭାବ୍ୟ ବାତ୍ୟାକୁ ଦେଖି ପୁରୀ ସିଗ୍ନାଲ ପୋର୍ଟ ସମେତ ପାରାଦ୍ବୀପ ଏବଂ ଧାମରା ବନ୍ଦର ପାଇଁ ୩ ନମ୍ବର ବିପଦ ସଂକେତ ଜାରି କରାଯାଇଛି। ସମ୍ଭାବ୍ୟ ବାତ୍ୟାକୁ ନେଇ SRC ସତର୍କତା ସୂଚନା ଜାରି କରିଛନ୍ତି ।
ସମସ୍ତ ଜିଲ୍ଲାର ଜିଲ୍ଲାପାଳ, କୃଷି ଓ ଜଳସମ୍ପଦ ବିଭାଗ ସଚିବ, ସବୁ RDC ଓ ପୌରାଞ୍ଚଳ ପ୍ରଶାସକ ଓ ଅଗ୍ନିଶମ ବିଭାଗକୁଙ୍କୁ ସତର୍କ କରାଇଛନ୍ତି ଏସଆରସି । ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଉପକୂଳ ଜିଲ୍ଲା ସମେତ କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ,କନ୍ଧମାଳ,ରାୟଗଡ଼ାରେ ବର୍ଷା ସମ୍ଭାବନା ରହିଛି । ସେହିପରି କୋରାପୁଟ, ମାଲକାନଗିରିରେ ମଧ୍ୟ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏଣୁ କିଛି କ୍ଷୟକ୍ଷତି ଘଟିଲେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ପାରାଦ୍ବୀପରେ ଆରମ୍ଭ ହୋଇଗଲାଣି ବର୍ଷା। ସକାଳୁ ସକାଳୁ ବର୍ଷା ଆରମ୍ଭ ହୋଇଯାଇଛି। ଅନ୍ୟପଟେ ସମୁଦ୍ର ଅଶାନ୍ତ ରହିବାକୁ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପ୍ରଶାସନ ତରଫରୁ ସତର୍କ କରାଯାଇଛି | ବର୍ତ୍ତମାନ ସୁଦ୍ଧା କିଛି ମତ୍ସ୍ୟଜୀବୀ ଫେରିଆସିଥିବା ବେଳେ ଆଉ କିଛି ସମୁଦ୍ର ମଧ୍ୟରେ ରହିଯାଇଥିବା ସୂଚନା ମିଳିଛି। ସେମାନଙ୍କୁ ସୁରକ୍ଷିତ ଫେରାଇ ଆଣବାକୁ ପ୍ରଶାସନ ଯୋଗାଯୋଗ କରୁଛି ।
ଅଧିକ ପଢ଼ନ୍ତୁ :ଆସୁଛି ବାତ୍ୟା