ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟାର ରୂପ ନେବାକୁ ଯାଉଛି । ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ରହିଥିବା ଅବପାତ ପଶ୍ଚିମ-ଉତ୍ତର ପଶ୍ଚିମ ଆଡ଼କୁ ଗତି କରି ଆଜି ମଧ୍ୟରାତ୍ର ବେଳକୁ ପାରାଦୀପର ଦକ୍ଷିଣକୁ ୪୩୦ କିମି, ପଶ୍ଚିମବଙ୍ଗ ଦୀଘାର ଦକ୍ଷିଣ-ଦକ୍ଷିଣ ପଶ୍ଚିମକୁ ୫୯୦ କିମି ଓ ବାଂଲାଦେଶର ଖେପୁପରାର ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ୭୪୦ କିମି ଦୂରରେ ରହିଛି । ଧୀରେ ଧୀରେ ଗଭୀର ଅବପାତ ରୂପ ନେଇ ସୋମବାର ସକାଳ ବେଳକୁ ଏହା ଉତ୍ତର-ପଶ୍ଚିମ ଆଡ଼କୁ ଗତି କରିବ ବୋଲି ଆଶଙ୍କା କରାଯାଉଛି । ଯଦି ଅବପାତଟି ବାତ୍ୟା ରୂପ ନିଏ ତାହା ହେଲେ ଏହାର ନାଁ ‘ହମୁନ୍’ ରହିବ।
ତେବେ ପରବର୍ତ୍ତୀ ୧୨ ଘଣ୍ଟାରେ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଆଗାମୀ ୩ ଦିନରେ ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳକୁ ମୁହାଁଇବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପାଣିପାଗ ବୈଜ୍ଞାନିକ କହିଛନ୍ତି ଯେ ଯଦିଓ ଏହା ଏକ ଘୂର୍ଣ୍ଣିବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି ତଥାପି ଏହା ବହୁତ ଦୁର୍ବଳ ରହିବ। ଏହାର ଓଡ଼ିଶା ଉପରେ ପ୍ରଭାବ ବହୁତ କମ୍ ରହିବ ଯେଉଁଥି ପାଇଁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ସେ କହିଛନ୍ତି। ଏହି ଘୂର୍ଣ୍ଣିବାତ୍ୟା ଓଡ଼ିଶା ଉପକୂଳରୁ ପ୍ରାୟ ୨୦୦ କିଲୋମିଟର ଦୂରରେ ଯିବ।
ତେବେ ପାଣିପାଗ ବିଭାଗ ଅନୁଯାୟୀ, ବାତ୍ୟା ପ୍ରଭାବରେ ୨୭ ତାରିଖ ଯାଏଁ ସମୁଦ୍ର ଅଧିକ ଅଶାନ୍ତ ରହିବ । ୨୪ ଓ ୨୫ ତାରିଖରେ ବର୍ଷାର ବିସ୍ତୃତି ସାମାନ୍ୟ ବଢ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଲଘୁଚାପ ଯୋଗୁ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବିଙ୍କୁ ଅକ୍ଟୋବର ୨୫ ତାରିଖ ପର୍ଯନ୍ତ ସମୁଦ୍ରକୁ ନ ଯିବା ପାଇଁ ସତର୍କ କରାଯାଇଛି। ଏହି ଲଘୁଚାପ ପ୍ରଭାବରେ ଅକ୍ଟୋବର ୨୩ ତାରିଖ ଦିନ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଅନୁମାନ କରାଯାଉଛି।
ଅଧିକ ପଢନ୍ତୁ :ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ