ପୁରୀ: ଜନ୍ମବେଦୀ ଗୁଣ୍ଡିଚାବାଡିରେ ଲୀଳାଖେଲା ସାରି ଭଉଣୀ ସୁଭଦ୍ରା ଓ ବଡ ଭାଇ ବଳଭଦ୍ରଙ୍କୁ ଧରି ଶ୍ରୀମନ୍ଦିର ଅଭିମୁଖେ ବାହୁଡିଛନ୍ତି ମହାପ୍ରଭୁ ଜଗନ୍ନାଥ । ତିନି ରଥ ସିଂହଦ୍ୱାର ସମ୍ମୁଖରେ ଲାଗି ଯାଇଛି । ଶନିବାର ନିର୍ଦ୍ଧାରିତ ସମୟରେ ସବୁ ନୀତି ସଂପନ୍ନ ପରେ ଅପରାହ୍ଣ ୩ଟାରେ ରଥ ଟଣା ଆରମ୍ଭ ହୋଇଥିଲା । ପ୍ରଥମେ ତାଳଧ୍ୱଜ, ପରେ ଦର୍ପଦଳନ ଏବଂ ଶେଷରେ ନନ୍ଦିଘୋଷ ରଥ ସିଂହଦ୍ୱାର ସମ୍ମୁଖରେ ବିଦ୍ୟମାନ ହୋଇଛି । ରବିବାର ଶ୍ରୀବିଗ୍ରହ ଦୁର୍ଲଭ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ।
ଶନିବାର ବାହୁଡାଯାତ୍ରାରେ ଘଣ୍ଟଘଣ୍ଟା, ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇ ଉଠିଛି ବଡ ଦାଣ୍ଡ । ରଥାରୂଡ ମହାବାହୁଙ୍କୁ ଦେଖିବ ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷ ଲକ୍ଷ ଭକ୍ତଙ୍କ ଗହଳି ଲାଗି ରହିଥିଲା । ନିର୍ଦ୍ଧାରିତ ସମୟରେ ଘୋଡା ଯୋଚା ପରେ ପ୍ରଭୁ ବଳଭଦ୍ରଙ୍କ ଦର୍ପଦଳନ ରଥ ଟଣା ଆରମ୍ଭ ହୋଇଥିଲା । ଏହା ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶେଷରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ଯାଇଥିଲା । ପ୍ରଥମେ ସନ୍ଧ୍ୟା ୭ଟା ୧୦ରେ ସିଂହଦ୍ୱାର ସମ୍ମୁଖରେ ଲାଗିଥିଲା ତାଳଧ୍ୱଜ ରଥ । ପାଖାପାଖି ୮ଟାରେ ଦର୍ପଦଳନ ରଥ ପହଞ୍ଚିଥିଲା । େ
ଶଷରେ ଘର ଘର ନାଦରେ ବଡଦାଣ୍ଡରେ ମାଡି ଆସୁଥିବା ନନ୍ଦିଘୋଷରେ ବିଜେ ଜଗନ୍ନାଥଙ୍କଠାରେ ମାଉସୀ ମନ୍ଦିର ଦ୍ୱାରା ପ୍ରସ୍ତୁତ ପୋଡ ପିଠା ଲାଗି ହୋଇଥିଲା । ଏହା ପରେ ରାଜନଅରଠାରେ ଅଟକିଥିଲା ନନ୍ଦିଘୋଷ । ଏଠାରେ ଲକ୍ଷ୍ମୀ ନାରାୟଣ ଭେଟ ହୋଇଥିଲା । ଶେଷରେ ରାତି ପ୍ରାୟ ୧୦ଟାରେ ସିଂହଦ୍ୱାରରେ ଲାଗିଥିଲା ନନ୍ଦିଘୋଷ ରଥ । ପୂରା ବଡଦାଣ୍ଡ ଭକ୍ତିମୟ ପରିବେଶରେ ଉଚ୍ଛୁଳି ଉଠିଛି ।
ଆଜି ପ୍ରତ୍ୟୁଷରେ ଶ୍ରୀଜିଉ ମାନଙ୍କ ମଙ୍ଗଳ ଆତି, ମଇଲମ, ତଡପଲାଗି, ରୋଷହୋମ, ଅବକାଶ, ସୂର୍ୟ୍ୟପୂଜା,ଦ୍ୱାରପାଳ ପୂଜା ହୋଇଥିଲା । ଏହାପରେ ଗୋପାଳବଲ୍ଲଭ ଓ ଖେଚୁଡି ଭୋଗ ହୋଇଥିଲା । ସେନାପଟା ଲାଗି ପରେ ବାହୁଡା ପହଣ୍ଡି ଆରମ୍ଭ ହୋଇଥିଲା । ବାହୁଡା ପହଣ୍ଡି ପାଇଁ ଧାର୍ୟ୍ୟ ହୋଇଥିବା ସମୟ ଠାରୁ ପ୍ରାୟ ୧ ଘଣ୍ଟା ଆଗରୁ ରଥ ଟଣା ହୋଇଛି।
ପ୍ରଥମେ ଚକ୍ରରାଜ ସୁଦର୍ଶନ, ଏହାପରେ ବଡଭାଇ ବଳଭଦ୍ର, ଦେବୀ ସୁଭଦ୍ରାଙ୍କ ପହଣ୍ଡି ହୋଇଥିଲା ଶେଷରେ କାଳିଆ ଠାକୁର ଶ୍ରୀଜଗନ୍ନାଥଙ୍କ ପହଣ୍ଡି ହୋଇଥିଲା । ସେବାୟତଙ୍କ ଗହଣରେ ଟାହିଆ ହଲାଇ ତିନି ଠାକୁରଙ୍କ ପହଣ୍ଡି ଅତ୍ୟନ୍ତ ମନୋରମ ଥିଲା । ଗଜପତି ମହାରାଜା ଦିବ୍ୟସିଂହ ଦେବ ତିନିରଥର ଛେରାପହଁରା କରିବା ପରେ ବଡଦାଣ୍ଡରେ ଗଡିଥିଲା ତିନି ରଥ ।