ଭୁବନେଶ୍ୱର: ଏଣିକି ସାଧାରଣ ଲୋକଙ୍କ ପାଇଁ ବର୍ଷକୁ ଏକାଧିକ ଥର ଖୋଲିବ ରାଜଭବନର ଉଦ୍ୟାନ । ରାଜଭବନରେ ଜନ ସମାଗମ ଲୋକଙ୍କ ନିକଟତର ହେବାର ଏକ ମାଧ୍ୟମ ବୋଲି କହିଛନ୍ତି ରାଜ୍ୟପାଳ ଡ. ହରିବାବୁ କୁମ୍ଭମପତି । ଏଥିସହ ରାଜଭବନର ଉଦ୍ୟାନ ଲୋକଙ୍କ ପାଇଁ ଏକାଧିକ ଥର ଖୋଲିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି ।
ଚଳିତବର୍ଷ ଜାନୁୟାରୀ ୧୩ ତାରିଖରୁ ୨୨ ତାରିଖ ଯାଏଁ ରାଜଭବନର ଉଦ୍ୟାନ ଜନ ସାଧାରଣଙ୍କ ପରିଦର୍ଶନ ପାଇଁ ଖୋଲାଯାଇଛି । ଗତ ୬ ଦିନ ମଧ୍ୟରେ ୩୦ ହଜାରରୁ ଅଧିକ ଲୋକେ ରାଜଭବନକୁ ପରିଦର୍ଶନ କରିଛନ୍ତି । ଉଦ୍ୟାନରେ ଏତେ ସଂଖ୍ୟାରେ ଜନ ସମାଗମ ଦେଖି ଖୁସିବ୍ୟକ୍ତ କରିଛନ୍ତି ନବନିଯୁକ୍ତ ରାଜ୍ୟପାଳ ହରିବାବୁ କୁମ୍ଭମପତି ।
ଶନିବାର ଅପରାହ୍ନରେ ରାଜଭବନର ଉଦ୍ୟାନକୁ ପରିଭ୍ରମଣରେ ଆସିଥିବା ଲୋକଙ୍କ ସହ ମିଶି ସେ ବାର୍ତ୍ତାଳାପ କରିଛନ୍ତି । ଏଥି ସହ କୁନି କୁନି ଛୋଟ ପିଲାମାନଙ୍କୁ ଚକୋଲେଟ୍ ଓ କଲମ ଦେଇଛନ୍ତି । ଆଗାମୀ ଦିନରେ ବହୁ ସଂଖ୍ୟାରେ ଲୋକେ ଏଠାକୁ ଆସିବାକୁ କହିଛନ୍ତି ରାଜ୍ୟପାଳ ଡ. ହରିବାବୁ କୁମ୍ଭମପତି ।