ଭୁବନେଶ୍ଵର: ସରକାରୀ ଅଫିସରମାନେ ବ୍ୟବହାର କରୁଥିବା ଗାଡ଼ିର ଭଡ଼ା ପରିମାଣକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି । ବଢୁଥିବା ତେଲ ଦର କାରଣରୁ ଅଫିସରମାନେ ବ୍ୟବହାର କରୁଥିବା ଗାଡ଼ିର ଭଡ଼ା ପରିମାଣକୁ ରାଜ୍ୟ ସରକାର ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ଦୀର୍ଘ ୮ ବର୍ଷ ପରେ ଏହି ଭଡ଼ା ବୃଦ୍ଧି କରାଯାଇଥିବା କହିଛି ଅର୍ଥ ବିଭାଗ ।
ବର୍ତ୍ତମାନ ଫେବୃୟାରୀ ପହିଲାରୁ ଅଫିସରମାନଙ୍କୁ ଗାଡ଼ି ଉପଯୋଗ ପାଇଁ ବର୍ଦ୍ଧିତ ଦର ଦେବାକୁ ପଡ଼ିବ। ନିଜ ବାସଭବନରୁ ଅଫିସକୁ ଯିବାଆସିବା, ଅଫିସ୍ କାମରେ ବାହାରକୁ ଯିବାଆସିବା ଏବଂ ବ୍ୟକ୍ତିଗତ କାର୍ଯ୍ୟ ପାଇଁ ସରକାରୀ ଗାଡ଼ି ଉପଯୋଗ ପାଇଁ ମଧ୍ୟ ଏହି ଭଡ଼ା ଦରରେ ରାଜ୍ୟ ସରକାର ସଂଶୋଧନ କରିଛନ୍ତି ।
ଅର୍ଥ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ସଚିବ ଓ ତଦୁର୍ଦ୍ଧ୍ୱ, ଅତିରିକ୍ତ ସଚିବ, ବିଭାଗୀୟ ମୁଖ୍ୟ ଓ ଜିଲ୍ଲାପାଳଙ୍କ ସମେତ ଆଇଜି ଓ ତଦୁର୍ଦ୍ଧ୍ୱ ପାହ୍ୟାର ଆଇପିଏସ୍ ଅଫିସର, ସିସିଏଫ ଓ ତଦୁର୍ଦ୍ଧ୍ୱ ପାହ୍ୟାର ଆଇଏଫଏସ୍ ଅଫିସର, କମିଶନର ପାହ୍ୟାର ଆଇଏଏସ୍ ଅଫିସରମାନେ ବ୍ୟକ୍ତିଗତ କାର୍ୟ୍ୟ ପାଇଁ ସରକାର ଗାଡ଼ିକୁ ସଂଶୋଧିତ ଭଡ଼ା ଦେଇ ଉପଯୋଗ କରିପାରିବେ । ଏବେ ମାସକୁ ସର୍ବାଧିକ ୩୦୦କିମି ପର୍ଯ୍ୟନ୍ତ ବ୍ୟକ୍ତିଗତ କାର୍ଯ୍ୟରେ ସରକାରୀ ଗାଡ଼ିର ଉପଯୋଗ ପାଇଁ ଅଫିସରଙ୍କୁ ୨୫୨୦ଟଙ୍କା ଏବଂ ୩୦୦ରୁ ୫୦୦କିମି ପର୍ଯ୍ୟନ୍ତ ୪୨୦୦ଟଙ୍କା ଦେବାକୁ ପଡ଼ୁଛି । ତେବେ ସଂଶୋଧିତ ଦରରେ ଆସନ୍ତା ଫେବୃୟାରୀ ପହିଲାରୁ ଏହା ଯଥାକ୍ରମେ ମାସିକ ଭଡ଼ା ୩୭୮୦ଟଙ୍କା ଓ ୬୩୦୦ଟଙ୍କା ଦେବାକୁ ପଡ଼ିବ ।
ତେବେ ଭୁବନେଶ୍ୱରରୁ କଟକ କିମ୍ବା କଟକରୁ ଭୁବନେଶ୍ୱର ଅଫିସ୍ କାମ ପାଇଁ ଯାଆସ କରୁଥିବା ଅଫିସରମାନଙ୍କ ମାସିକ ଭଡ଼ା ବାବଦ ଅର୍ଥ ୬ ହଜାର ଟଙ୍କାକୁ ଅପରିବର୍ତ୍ତିତ ରଖାଯାଇଛି । ସେହିପରି ଦୁଇଜଣ ଅଫିସର ଯଦି ଗୋଟିଏ ଗାଡିରେ ଯାତାୟତ କରନ୍ତି ତେବେ ୬ହଜାର ଟଙ୍କା ଭଡ଼ାକୁ ଉଭୟଙ୍କଠୁ ସମାନ ଭାଗରେ ଆଦାୟ କରାଯିବ ।