କେନ୍ଦ୍ରାପଡା : ଆଳିର ପୁରାତନ ଖେଳପଡିଆ ତଥା ଆଳି ମିନି ଷ୍ଟାଡିୟମକୁ ଫୁଟବଲ ଏକାଡେମୀ ନାଁରେ ପୂର୍ଵ ସରକାର ବିପର୍ଯ୍ୟସ୍ତ କରାଯାଉଛି ବୋଲି ଅଭିଯୋଗ ଆଣିଛନ୍ତି ଆଳି କ୍ରୀଡା ବିକାଶ ପରିଷଦ ଓ ଆଳି ହାଇସ୍କୁଲ ପୁରାତନ ଛାତ୍ର ।
କେନ୍ଦ୍ରାପଡ଼ା ଜିଲ୍ଲା ଆଳି ହାଇସ୍କୁଲ ମିନି ଷ୍ଟାଡିଅମକୁ ଫୁଟବଲ ଏକାଡେମୀ କରିବା ନିମନ୍ତେ ପୂର୍ବ ସରକାର ଅର୍ଥ ଯୋଗାଇ ଦେବା ପରେ ଏକାଡେମୀ କାର୍ଯ୍ୟ ଚାଲୁରହିଛି । କିନ୍ତୁ ଏକାଡେମୀ କରିବା ଦ୍ୱାରା ଏହି ମିନି ଷ୍ଟାଡିଅମ ନିଜର ଗୌରବ ହରାଇ ବସିବ ବୋଲି ଏକ ଖବରଦାତା ସମ୍ମିଳନୀରେ ଆଳି କ୍ରୀଡା ବିକାଶ ପରିଷଦ ଓ ପୁରାତନ ଛାତ୍ର ପକ୍ଷରୁ ଅଭିଯୋଗ କରାଯାଇଥିଲା l କ୍ରୀଡା ବିକାଶ ପରିଷଦ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ମହିଳା ଫୁଟବଲର ଏନ୍ତୁଡ଼ି ଶାଳ ଭାବେ ପରିଚିତ ଐତିହ୍ୟ ପୂର୍ଣ୍ଣ ଆଳି ହାଇସ୍କୁଲ ମିନି ଷ୍ଟାଡିଅମ ଆଳିର ସହରର କେନ୍ଦ୍ରସ୍ଥଳରେ ଅବସ୍ଥିତ।ଦୀର୍ଘ ୫୦ ବର୍ଷ ହେବ ଏହି ପଡିଆରେ ପିଲାମାନେ ନିୟମିତ ଫୁଟବଲ, କ୍ରିକେଟ, ଭଲି ଆଦି ଖେଳ ଅଭ୍ୟାସ କରିଥାନ୍ତି ଏବଂ ବିଭିନ୍ନ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଇଥାଏ । ଏହି ଷ୍ଟାଡିଅମରେ ଫୁଟବଲ ପ୍ରାକ୍ଟିସ କରି ଅନେକ ମହିଳା ଖେଳାଳି ଜାତୀୟ, ଅନ୍ତର୍ଜାତୀୟ ସ୍ତରରେ ନିଜର ଦକ୍ଷତା ଦେଖାଇ ବିଭିନ୍ନ ସମୟରେ ଆଳି ଓ ସମଗ୍ର ରାଜ୍ୟକୁ ଗର୍ବିତ କରିଛନ୍ତି l ବିଭିନ୍ନ ସମୟରେ ବିଭିନ୍ନ ଅନୁଷ୍ଠାନର ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ବିଭିନ୍ନ ଶିକ୍ଷାନୁଷ୍ଠାନ ପଡ଼ିଆ ଅଭାବରୁ ବାର୍ଷିକ କ୍ରୀଡା ପ୍ରତିଯୋଗିତା କରିଥାନ୍ତି। କିନ୍ତୁ ଏକାଡେମୀ ଘୋଷଣା ପରେ ନିର୍ମାଣ କାର୍ଯ୍ୟ ଯୋଗୁଁ ଏବେ ସବୁ କିଛି ବନ୍ଦ ହୋଇଯାଇଛି l ଫୁଟବଲ ପ୍ରାକ୍ଟିସ ବନ୍ଦ ହେବା ସହିତ ଚଳିତ ବର୍ଷ ସମସ୍ତ ଟୁର୍ଣ୍ଣାମେଣ୍ଟ ମଧ୍ୟ ବନ୍ଦ ହୋଇଯାଇଛି l ଫୁଟବଲ ଏକାଡେମୀ ନାଁରେ ପଡିଆ ମଝିରେ ଗୃହ ନିର୍ମାଣ କରାଯିବା ସହିତ ସବୁଦିନ ପାଇଁ ଖେଳ ବନ୍ଦ ପାଇଁ ଉଦ୍ୟମ ହୋଇଛି ବୋଲି କ୍ରୀଡ଼ାବିତ ଅଭିଯୋଗ ଆଣିଛନ୍ତି ।
ଏନେଇ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିବା ସହ କ୍ରୀଡ଼ା ମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗକୁ ଗୁରୁତ୍ୱ ଦେଇ ଓଡ଼ିଶା ରାଜ୍ୟ ସରକାରଙ୍କ କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କ୍ଷେତ୍ର ପରିଦର୍ଶନ କରି ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିବା ସହିତ ଅଞ୍ଚଳବାସୀଙ୍କ ଆଗ୍ରହକୁ ଗୁରୁତ୍ୱ ଦେଇ ବୈଷୟିକ ତର୍ଜମା କରି ଏକ ଚୁଡାନ୍ତ ରୂପରେଖ ତିଆରି କରାଯିବ ବୋଲିି କହିଛନ୍ତି।
ମନ୍ତ୍ରୀଙ୍କ ସର ଜମୀନ ତଦନ୍ତ ପରେ କ୍ରୀଡ଼ାବିତଙ୍କ ଆଶା ଉଜ୍ଜୀବିତ ହୋଇଛି l ସରକାର ଲୋକଙ୍କ ଭାବବେଗ ଉପରେ ଗୁରୁତ୍ୱ ଦେଇ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବେ ବୋଲି କ୍ରୀଡ଼ାବିତ ଆଶା ରଖିଛନ୍ତି l