କଟକ: ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । କଟକର ଅତିରିକ୍ତ ଜିଲ୍ଲା ଏବଂ ସେସନ୍ସ ଜଜ୍ ଦୁଇ ଅଭିଯୁକ୍ତ ଜିତନ ମହାରଣା ଏବଂ ପ୍ରଶାନ୍ତ ଖମାରୀଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି।
ମାଧ୍ୟମିକ ଶିକ୍ଷା ବୋର୍ଡର ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣା ଏବଂ ନିଲମ୍ବିତ ଶିକ୍ଷକ ଖମାରୀଙ୍କ ଜାମିନ ଆବେଦନ ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ହଇରାଣ କରିଥିବା କାଣ୍ଡ ସହିତ ଜଡିତ ଥିଲା। ଏହି ଶୁଣାଣିରେ କୋର୍ଟଙ୍କ ନିଷ୍ପତ୍ତି ମାମଲାର ତଦନ୍ତ କରୁଥିବା କ୍ରାଇମ୍ ବ୍ରାଞ୍ଚ ଦ୍ୱାରା ଦାଖଲ କରାଯାଇଥିବା ପ୍ରମାଣ ଏବଂ ଡକ୍ୟୁମେଣ୍ଟ ଉପରେ ଆଧାରିତ ଥିଲା।
ସୂଚନା ଥାଉକି ପେପର୍ ଲିକ୍ ମାମଲା ସାରା ରାଜ୍ଯରେ ହଇଚଇ ସୃଷ୍ଟି କରିଥିଲା। ଛାତ୍ରଛାତ୍ରୀଙ୍କ ଭବିଷ୍ଯତ ନେଇ ଖେଳିଥିଲେ ଶିକ୍ଷାର ଦଲାଲ ମାନେ। ତେବେ କ୍ରାଇମ୍ ବ୍ରାଞ୍ଚ ତଦନ୍ତ ବେଳେ ଏହି ମାମଲାରେ ମୋଟ ୮ ଜଣଙ୍କୁ ଗିରଫ କରିଛି। ସମସ୍ତ ଅଭିଯୁକ୍ତ ବର୍ତ୍ତମାନ ଚୌଦ୍ୱାର ଜେଲରେ ଅଛନ୍ତି। ସେମାନଙ୍କ ମଧ୍ୟରୁ ସାତ ଜଣଙ୍କ ଜାମିନ ଆବେଦନ କୋର୍ଟ ଦ୍ୱାରା ଖାରଜ ହୋଇସାରିଛି। ଏହି ସମୟରେ, ବିଏସଇର ପୂର୍ବତନ ଉପାଧ୍ୟକ୍ଷ ଏବଂ ମାମଲାର ମୁଖ୍ୟ ଅଭିଯୁକ୍ତ ନିହାର ରଞ୍ଜନ ମହାନ୍ତିଙ୍କ ଜାମିନ ଶୁଣାଣି ମଙ୍ଗଳବାର ଦିନ ହେବାକୁ ଯାଉଛି।