ଭୁବନେଶ୍ୱର: ଦିନକୁ ଦିନ କୁହୁଳୁଛି ଦୀଘା ଜଗନ୍ନାଥ ମନ୍ଦିର ବିବାଦ । ପୁରୀରୁ ମହାପ୍ରଭୁଙ୍କ ବଳକା ଦାରୁ ସେଠାକୁ କିପରି ଗଲା ? ସେଠାରେ ଜଗନାଥଧାମ ଉଲ୍ଲେଖ କରାଯିବା ଆଦି ପ୍ରସଙ୍ଗକୁ ନେଇ ବିବାଦ ବଢୁଛି । ନବକଳେବର ସମୟରେ ବଳି ପଡ଼ିଥିବା ଦାରୁରୁ ଜଗନ୍ନାଥ ମୂର୍ତ୍ତି ନିର୍ମାଣ କରି ଦୀଘା ନିଆଯିବା ଭଳି ମନ୍ତବ୍ୟ ଉପରେ ତଦନ୍ତ କରାଯିବ । ଏହି ସବୁ ବିବାଦ ମଧ୍ୟରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ଗଜପତି ମହାରାଜଙ୍କୁ ଚିଠି ମାଧ୍ୟମରେ ଅଭିଯୋଗ ଜଣାଇଛନ୍ତି ।
ଚିଠିରେ ସୁଦର୍ଶନ ଦର୍ଶାଇଛନ୍ତି ଯେ ଦିଘାରେ ଜଗନ୍ନାଥ ମନ୍ଦିରକୁ ଆମେ ସ୍ୱାଗତ କରୁଛୁ । ମାତ୍ର ଏହାକୁ ଦୀଘା ଜଗନ୍ନାଥ ଧାମରେ ନାମିତ କରିବା ଆଦୌ ଗ୍ରହଣୀୟ ନୁହେଁ । ଏସବୁ କରି ଓଡ଼ିଆ ଜାତିକୁ କୁଠାରାଘାତ କରିବା ନିମନ୍ତେ ଷଡ଼ଯନ୍ତ୍ର ହୋଇଛି । ଏନେଇ ପ୍ରତ୍ୟେକ ଓଡ଼ିଆ ସ୍ୱର ଉତ୍ତୋଳନ କରି ତୀବ୍ର ବିରୋଧ କରିଲେଣି । ଏନେଇ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କୁ ଚିଠି ମାଧ୍ୟମରେ ଅବଗତ କରିଥିଲେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।
ଅନ୍ୟପଟରେ ଏହି ସବୁ ବିବାଦ ମଧ୍ୟରେ ଆକ୍ସନ ମୋଡ଼କୁ ଆସିଛି ଶ୍ରୀମନ୍ଦିର ପ୍ରଶାସନ । ଆଜି ସନ୍ଧ୍ୟା 5ଟାରେ ଏନେଇ ବୈଠକ ବସିବ । ନବକଳେବର ସମୟରେ ବଳକା ଥିବା ଦାରୁ ସମ୍ପର୍କରେ ହେବ ଆଲୋଚନା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ପ୍ରମୁଖ ବ୍ୟକ୍ତିବିଶେଷ ମାନେ ଯୋଗ ଦେବେ । ଛତିଶାନିଯୋଗ ନାୟକ, ବାଡ଼ଗ୍ରାହୀ, ଦେଉଳକରଣ, ତଢଉକରଣ ପ୍ରଭୁତି ଉପସ୍ଥିତ ରହିବେ ।