କଟକ : ଶୁକ୍ରବାର ରାଜ୍ୟରେ 'ଆୟୁଷ୍ମାନ ଭାରତ' ଯୋଜନାର ଶୁଭାରମ୍ଭ ହୋଇଛି। କଟକରେ ଆୟୋଜିତ କାର୍ଯ୍ୟକ୍ରମରେ ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା । ରାଜ୍ୟର ପ୍ରାୟ ସାଢ଼େ ୩ କୋଟି ଲୋକଙ୍କୁ ମିଳିବ ମାଗଣା ଚିକିତ୍ସା ସୁବିଧା । ଦେଶର ୨୯ ହଜାରରୁ ଉର୍ଦ୍ଧ୍ବ ହସ୍ପିଟାଲରେ ମିଳିବ ମାଗଣା ଚିକିତ୍ସା ସୁବିଧା ।
ଏହି ଶୁଭାରମ୍ଭ ଉତ୍ସବରେ ପୂର୍ବ ସରକାର ଉପରେ ବର୍ଷିଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ପୂର୍ବ ସରକାର ଆୟୁଷ୍ମାନ ଯୋଜନା ଲାଗୁ କରି ନଥିଲେ କାରଣ ମୋଦୀ ଶ୍ରେୟ ନେଇଯିବା ଭୟରେ ନବୀନ ଜାଣିଶୁଣି ଓଡ଼ିଶାରେ ଲାଗୁ କଲେନି ଆୟୁଷ୍ମାନ ଭାରତ ଯୋଜନା। ୨୦୧୮ରେ ଯୋଜନାର ଶୁଭାରମ୍ଭ ହେଲା, କିନ୍ତୁ ଓଡ଼ିଶା ସରକାର ଗ୍ରହଣ କଲେନି। ଯାହା ଫଳରେ ବର୍ଷରେ ଓଡ଼ିଶା ସରକାର ୩ ହଜାର କୋଟି କ୍ଷତି ସହିଲା ବୋଲି ମନ୍ତ୍ରୀ କହିଛନ୍ତି।
ମନ୍ତ୍ରୀ ଏକଥା ମଧ୍ଯ କହିଛନ୍ତି ଯେ ବିଗତ ସରକାର ସମୟରେ ଆମେ ବିରୋଧୀ ଦଳରେ ରହି ଏହାକୁ ଲାଗୁ କରିବାକୁ ବାରମ୍ବାର ପୂର୍ବ ସରକାରଙ୍କୁ କହିଥିଲୁ ହେଲେ ହୋଇନଥିଲା ତେବେ ପୂର୍ବରୁ ଯାହା ହୋଇନଥିଲା ଏବେ ପୂରଣ କରି ଦେଖାଇଛୁ।
ସୂଚନାଯୋଗ୍ୟ ଓଡ଼ିଶାବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ରାଜ୍ୟ ସରକାର ୩ଟି ଯୋଜନାର ଲୋକାର୍ପଣ କରିଛନ୍ତି । ୩ଟି ଯୋଜନାରେ ରାଜ୍ୟର ୧.୩ କୋଟି ପରିବାରର ସାଢ଼େ ୩ କୋଟି ଲୋକ ଯୋଡ଼ି ହେବେ । ୭୦ ବର୍ଷ ବୟସରୁ ଉର୍ଦ୍ଧ୍ବ ଲୋକମାନଙ୍କୁ ଆୟୁଷ୍ମାନ ବୟୋବନ୍ଦନା ଯୋଜନାରେ ସାମିଲ କରାଯିବ । ରାଜ୍ୟରେ ଏମାନଙ୍କ ସଂଖ୍ୟା ୨୩ ଲକ୍ଷ ୧୩ ହଜାର । ପ୍ରାୟ ୧୭ ଲକ୍ଷ ଆୟୁଷ୍ମାନ ଏବଂ ଜିଜେଏୱାଇରେ ସାମିଲ ଥିବାରୁ ଆଉ ୬ ଲକ୍ଷ ହିତାଧିକାରୀ ଏହି ଯୋଜନାରେ ଯୋଡ଼ି ହେବେ । ପ୍ରତି ପରିବାର ପିଛା ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳିବ । ତେବେ ପରିବାରର ମହିଳା ହିତାଧିକାରୀଙ୍କ ପାଇଁ ଅତିରିକ୍ତ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସେବା ପ୍ରଦାନ କରାଯିବ । ଗୋଟିଏ ପରିବାରରେ ୭୦ବର୍ଷରୁ ଅଧିକ ବୟସର ହିତାଧିକାରୀ ଥିଲେ, ପରିବାର ପ୍ରତି ଚିକିତ୍ସା ଖର୍ଚ୍ଚ ସର୍ବାଧିକ ୧୫ ଲକ୍ଷ ଟଙ୍କା ମିଳିବ ।