ଆମ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏମିତି ଅନେକ ଶକ୍ତିପୀଠ ଅଛି ଯେଉଁଠିକି ମା ଆଦିଶକ୍ତି ବିଭିନ୍ନ ରୂପରେ ପୂଜା ପାଇ ଆସୁଛନ୍ତି । ତେବେ ବିଭିନ୍ନ ଶକ୍ତିପୀଠରେ ମନସ୍କାମନା ପୁରଣ ହେଲେ ମନାସିକଧାରୀମାନେ ମା ଙ୍କୁ ନିଜ ଶ୍ରଦ୍ଧା ଭକ୍ତି ସହକାରେ ଓ ସାମର୍ଥ ଅନୁସାରେ ବିଭିନ୍ନ ଜିନିଷ ମଧ୍ୟ ଅର୍ପଣ କରିଥାନ୍ତି । ତେବେ ଆମେ ଆପଣଙ୍କୁ ଏମିତି ଶକ୍ତି ପୀଠ କଥା କହୁଛୁ ଯେଉଁଠି କି ଭକ୍ତଙ୍କ ମନସ୍କାମନା ପୁରଣ ହେଲେ ମାଙ୍କୁ କାନ୍ଥଘଣ୍ଟା ଅର୍ପଣ କରିଥାନ୍ତି । ସମ୍ବଲପୁର ଜିଲ୍ଲାର ବଡ଼ରମା ଘାଟି ନିକଟରେ ପୁଜା ପାଉଛନ୍ତି ମା ବନଦୁର୍ଗା । କୁହାଯାଏ ମା ବନଦୁର୍ଗା ଭକ୍ତଙ୍କ ସମସ୍ତ ମନସ୍କାମନା ପୂର୍ଣ୍ଣ କରିଥାନ୍ତି ।
ସମ୍ବଲପୁର ସହରଠାରୁ ଦେବଗଡ଼ ଜିଲ୍ଲାକୁ ଯାଇଥିବା ଜାତୀୟ ରାଜପଥରେ ୩୦ କିମି ଦୂରତା ଅତିକ୍ରମ କରିବା ପରେ ଜାତୀୟ ରାଜପଥ ଉପରେ ବିରାଜମାନ ହୋଇ ଭକ୍ତଙ୍କ ଗୁହାରି ଶୁଣିବା ସହ ମନସ୍କାମନା ପୁରଣ କରି ଆସୁଛନ୍ତି ମା ବନଦୁର୍ଗା। ମା ବନଦୁର୍ଗାଙ୍କ ମହିମା ଓ ଅପାର କରୁଣାର ଅନେକ କଥା ରହିଛି ।
ମା ବନକ ଦୁର୍ଗାଙ୍କ ନିକଟରେ ଭକ୍ତଙ୍କ ଏତେ ଅତୂଟ ବିଶ୍ଵାସ ଅଛିଯେ ଏହି ରାସ୍ତା ଦେଇ ଯାଉଥିବା ସମସ୍ତ ଲୋକ ଏହି ପୀଠରେ ରହି ମାଙ୍କ ଦର୍ଶନ କରି ମାଙ୍କ ଆଶୀର୍ବାଦ ନେଇ ଆଗକୁ ଯାତ୍ରା ଆରମ୍ଭ କରିଥାନ୍ତି । ମାଙ୍କ ନିକଟରେ ମାନସିକ କରିଥିବା ଭକ୍ତଙ୍କ ମନସ୍କାମନା ପୁରଣ ହେବାପରେ ଭକ୍ତ ଓ ଶ୍ରଦ୍ଧାର ସହକାରେ ମାଙ୍କ ପୀଠରେ କାନ୍ଥଘଣ୍ଟା ଅର୍ପଣ କରିଥାନ୍ତି । ଏହାସହ ଭକ୍ତ ଘଣ୍ଟି ଓ ଚୁରନିକୁ ମଧ୍ୟ ମାଙ୍କ ପୀଠରେ ବାନ୍ଧିଥାନ୍ତି । ଆଦିଶକ୍ତି ମା ବନଦୁର୍ଗା ବଡ଼ରମା ଘାଟିରେ ରହି ବହୁ ବର୍ଷ ହେବ ଭକ୍ତଙ୍କୁ ନିଜ ଛତ୍ରଛାୟାରେ ଘୋଡାଇ ରଖିଛନ୍ତି । ତେବେ ଆଗକୁ ବଡ଼ରମା ପୀଠର ଅଧିକ ଉନ୍ନତି ସହ ଭକ୍ତଙ୍କ ପାଇଁ ଅଧିକ କିଛି ସୁବିଧା ଏଠାରେ ହୋଇପାରିଲେ ମା ବନଦୁର୍ଗା ଏହି ପୀଠ ଅନ୍ୟତମ ପର୍ଯ୍ୟଟନସ୍ଥଳୀରେ ପରିଣତ ହୋଇପାରନ୍ତା ।