ଭୁବନେଶ୍ବର: ଭୁବନେଶ୍ଵରରେ ପହଞ୍ଚିନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ସ୍ଵତନ୍ତ୍ର ବିମାନ ଯୋଗେ ବିଜୁ ପଟ୍ଟାନାୟକ ବିମାନ ବନ୍ଦରରେ ପହଁଚିବା ପରେ କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାଗତ କରିଛନ୍ତି । ସେହିପରି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ମନ୍ତ୍ରୀ ସୁରେଶ ପୂଜାରୀ, ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ସାଂସଦ ବୈଜୟନ୍ତ ପଣ୍ଡା ଏବଂ ବିଜେପି ରାଜ୍ୟ ସଭାପତି ମନ ମୋହନ ସାମଲ ପ୍ରମୁଖ ଫୁଲତୋଡ଼ା ଏବଂ ଉତ୍ତରୀୟ ଦେଇ ସ୍ୱାଗତ ଜଣାଇଛନ୍ତି ।
ସ୍ଵତନ୍ତ୍ର କାରକେଡ ଓ କଡ଼ା ସୁରକ୍ଷାବଳୟ ମଧ୍ୟରେ କେନ୍ଦ୍ର ମନ୍ତ୍ରୀଙ୍କ କାରକେଡ ଲୋକସେବା ଭବନରେ ପହଞ୍ଚିଛି । ସର୍ବଭାରତୀୟ ଡିଜିପି ସମ୍ମିଳନୀରେ ଯୋଗଦେବେ ଅମିତ ଶାହା ।
ସର୍ବଭାରତୀୟ ଡିଜିପି ସମ୍ମିଳନୀରେ ଯୋଗଦେବା ପାଇଁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ, ବି. ସଞ୍ଜୟ କୁମାର, କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ ପହଞ୍ଚିସାରିଛନ୍ତି । ଜାତୀୟ ସ୍ତରର ବରିଷ୍ଠ ଅଧିକାରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଭୁବନେଶ୍ୱରକୁ କଡ଼ା ସୁରକ୍ଷା ବଳୟରେ ରଖାଯାଇଛି । ଲୋକସେବା ଭବନରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସର୍ବଭାରତୀୟ ଡିଜିପି ସମ୍ମିଳନୀର ଉଦଘାଟନ କରିବେ । ଏହି ସମ୍ମିଳନୀରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ ବୋଲି ସୂଚନା ମିଳିଛି ।