ମାଲକାନଗିରି : ଆହୁରି ୨୪ ଘଣ୍ଟା ପାଇଁ ମାଲକାନଗିରିରେ ଇଣ୍ଟରନେଟ୍ କଟକଣା ବୃଦ୍ଧି କରାଯାଇଛି। ଆଜି ଦିନ ୧୨ ଯାଏଁ କଟକଣା ଲାଗୁ ହୋଇଥିଲା ତେବେ ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଅବିଧି ବଢାଇବାର ନିଷ୍ପତ୍ତି ନିଆଯାଇଛି। ପୁଣି ଏମ୍ଭି-୨୬ ଓ ରାଖେଲଗୁଡ଼ା ଗାଁରେ ସ୍ଥିତି ଅନୁଧ୍ୟାନ କରିଥିଲେ ଡିଜିପି।
ଅନ୍ୟପଟେ ଦୀର୍ଘ ୬ ଦିନ ପରେ ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ ମିଳିଛି। କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ। ଗତ ୪ ତାରିଖରେ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ପରେ ଆଜି ମିଳିଲା କଟାମୁଣ୍ଡ। ମୃତଦେହ ଠାରୁ ପ୍ରାୟ ୪୦ କିମି ଦୂରରେ ମିଳିଲା ମହିଳାଙ୍କ କଟାମୁଣ୍ଡ। ଗ୍ରାମବାସୀ ପୋଲିସକୁ ଖବର ଦେବା ପରେ କଟାମୁଣ୍ଡ ଉଦ୍ଧାର କରାଯାଇଛି। କଟାମୁଣ୍ଡ ମିଳୁ ନଥିବାରୁ ଏମ୍ଭି-୨୬ ଓ ରାଖେଲଗୁଡ଼ା ମଧ୍ୟରେ ବିବାଦ ଦେଖା ଦେଇଥିଲା। ପରିସ୍ଥିତି ଏତେ ଭୟଙ୍କର ହୋଇଯାଇଥିଲା ଯେ ସୋମବାର ଠାରୁ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି। ଦୁଇ ଗାଁ ମଧ୍ଯରେ ବ୍ଯାପକ ପୋଲିସ୍ ଫୋର୍ସ ମୁତୟନ ହୋଇଛନ୍ତି।
ତେବେ ଏହାରି ମଧ୍ଯରେ ଧୀରେ ଧୀରେ ଶାନ୍ତି ଫେରୁଥିବା ନଜର ଆସିଛି। ମାଲକାନାଗିରି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏମ.ଭି/୨୬ ଓ ରାଖାଲଗୁଡ଼ା ଗାଁ ମୁଖିଆଙ୍କୁ ନେଇ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଳାପାଳ ସୋମେଶ କୁମାର ଉପାଧ୍ୟାୟ, ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଡ. କନୱର ଵିଶାଲ ସିଂହ, ଏସ.ପି ବିନୋଦ ପାଟିଲ. ଏଚ ଓ ମାଲକାନାଗିରି ବିଧାୟକ ନରସିଂହ ମାଡକାମୀଙ୍କ ସମେତ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ଉପସ୍ଥିତ ଥିଲେ । ଉଭୟ ପକ୍ଷ ମଧ୍ୟରେ ଆପୋସ ଆଲୋଚନା ମଧ୍ୟରେ ଶାନ୍ତି ଫେରାଇ ଆଣିବା ପାଇଁ ସହମତି ହୋଇଛି ।