କଟକ:ଆଜି ୭୬ ତମ ସାଧାରଣତନ୍ତ୍ର ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକର ବିଡ଼ାନାସୀରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ ଦେଶର ସୁରକ୍ଷା ପାଇଁ ପ୍ରାଣବଳି ଦେଇଥିବା ମହାନ ସଂଗ୍ରାମୀ ଏବଂ ଯବାନଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି ।ଦେଶର ଅଖଣ୍ଡତା ବଜାୟ ସହ ସୁଶାସନ ଯୋଗାଇବା ପରମ ଲକ୍ଷ୍ୟ। ଦେଶର ଗଣତନ୍ତ୍ର ବଜାୟ ରଖିବାରେ କୋଟି କୋଟି ଜନତାଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ଅଟେ।ନିରବଚ୍ଛିନ୍ନ ଭାବେ ଗଣତନ୍ତ୍ରକୁ ବଜାୟ ସହ ଦେଶର ଅଗ୍ରଗତି ହେଉଛି। ଖୁବ୍ଶୀଘ୍ର ଆମ ଦେଶ ତୃତୀୟ ଶ୍ରେଷ୍ଠ ଅର୍ଥନୀତି ହେବାକୁ ଯାଉଛି। ୧୪୦ କୋଟି ଭାରତୀୟଙ୍କ ଜୀବନଯାପନ ଶୈଳୀରେ ପରିବର୍ତ୍ତନ ଆସିଛି। ଲୋକଙ୍କ ଶିକ୍ଷା, ସ୍ବାସ୍ଥ୍ୟ ଭଳି ମୌଳିକ ଅଧିକାର ଯୋଗାଇବାକୁ ସରକାର ପ୍ରତିଶ୍ରୁତିବଦ୍ଧ ଅଛନ୍ତି। ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଅଦ୍ଭୂତପୂର୍ବ ପରିବର୍ତ୍ତନ ହେବାକୁ ଯାଉଛି। ଗାଁରୁ ବିକାଶ ଆରମ୍ଭ ହେଉଛି, ସରକାର ଏନେଇ ଭିତ୍ତିଭୂମି ପ୍ରସ୍ତୁତ କରୁଛନ୍ତି। ଓଡ଼ିଆ ଅସ୍ମିତା ସହ ଓଡ଼ିଶାର ବିକାଶ ଆଗେଇ ଚାଲିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଆହୁରି ମଧ୍ଯ ମୁଖ୍ଯମନ୍ତ୍ରୀ କହିଛନ୍ତି ଯେ ରାଜ୍ୟର ବିକାଶ ପାଇଁ ରାଜ୍ୟ ସରକାର ଅନବରତ କାମ କରୁଛନ୍ତି। ଆଜି ଉତ୍ସବର ଦିନ ନୁହେଁ, ସମ୍ବିଧାନକୁ ସୁରକ୍ଷା ଦେବା ଆମ ସମସ୍ତଙ୍କ ଦାୟିତ୍ବ। ସମୃଦ୍ଧ ଓ ବିକଶିତ ଓଡ଼ିଶା ନିର୍ମାଣରେ ହାତ ବଢ଼ାଇବାକୁ ଆହ୍ବାନ କରିଛନ୍ତି।
ଏଥିସହ ଅନୁଷ୍ଠିତ ହୋଇଥିବା ପରେଡରେ ମୁଖ୍ୟମନ୍ତ୍ରୀ ଅଭିବାଦନ ଗ୍ରହଣ କରି ମାର୍ଚ୍ଚ ୮ରେ ସୁଭଦ୍ରା ଯୋଜନାର ଦ୍ବିତୀୟ କିସ୍ତି ମିଳିବ ବୋଲି ଘୋଷଣା କରିଛନ୍ତି । ଏପର୍ଯ୍ୟନ୍ତ ରାଜ୍ୟର ୮୦ ଲକ୍ଷରୁ ଅଧିକ ମହିଳାଙ୍କୁ ସୁଭଦ୍ରା ଯୋଜନାର ଲାଭ ମିଳିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।