ଭୁବନେଶ୍ୱର : ରାଜନୀତି ପାଇଁ ଦୁଇ ଫାଳ ହୋଇଗଲାଣି ସୁର ରାଉତରାୟଙ୍କ ପରିବାର। ଘର କଳି ଏବେ ଯେମିତି ଦାଣ୍ଡରେ ପଡ଼ି, ହାଟରେ ଗଡିଲାଣି। ଭାଇ-ଭାଇ, ବାପ ପୁଅର ସମ୍ପର୍କ ବିଜେଡି-କଂଗ୍ରେସ ରାଜନୀତିରେ ଭାଙ୍ଗି ଗଲାଣି।
ଆଜି ଏପରି କିଛି ଦେଖିବାକୁ ମିଳିଛି। ଗଣମାଧ୍ୟମ ଆଗରେ ବଡଭାଇ ସିଦ୍ଧାର୍ଥଙ୍କ ନାଁ ନ ନେଇ ସାନପୁଅ ମନ୍ମଥ ବର୍ଷିଛନ୍ତି। ସେ କହିଛନ୍ତି, ସୁର ରାଉତରାୟଙ୍କ ଘରେ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯେ ବାରମ୍ବାର ନବୀନ ପଟ୍ଟନାୟକ ଓ ପାଣ୍ଡିଆନଙ୍କୁ ଗାଳି କରୁଛନ୍ତି । ଦିନେ ନିଜେ ସେହି ବ୍ୟକ୍ତି ବାରମ୍ବାର ଯାଇକି ନବୀନ ଓ ପାଣ୍ଡିଆନଙ୍କୁ ଦେଖା କରୁଥିଲେ। ସେତେବେଳେ ପାଣ୍ଡିଆନ ଓ ନବୀନ ବାବୁ ଭଲ ଲାଗୁଥିଲେ ହେଲେ ରିଜେକ୍ଟ ହୋଇଗଲେ ବୋଲି ଏବେ ସେ ଗାଳି କରୁଛନ୍ତି। କେବଳ ଏତିକି ନୁହଁ ସେ ସେହି ବ୍ୟକ୍ତି ଜଣଙ୍କ ସୁର ରାଉତରାୟଙ୍କୁ ନେଇ ବିଜେପିର ବଡ଼ ନେତାଙ୍କୁ ଦିଲ୍ଲୀରେ ଦେଖା କରିଥିଲେ। ସେଠାର ମଧ୍ୟ ତାଙ୍କ ଦାବି ରଖିଥିଲେ। ହେଲେ ସେଠି ବି ରିଜେକ୍ଟ ହୋଇଯାଇଥିଲେ । ତେଣୁ ମୁଁ ଧନ୍ୟବାଦ ଦେବି ବିଜେପି ଓ ବିଜେଡିକୁ, କାହିଁକି ନା ସେ ବ୍ୟକ୍ତିଙ୍କୁ ଚିହ୍ନି ପାରି ରିଜେକ୍ଟ କରିଦେଲେ। ୨ଟି ରିଜେକ୍ଟ ପରେ ଥାର୍ଡ ଅପସନ୍ରେ ପହଞ୍ଚିଲେ ସେହି ବ୍ୟକ୍ତି ଜଣଙ୍କ। ନବୀନ ବାବୁ ଓ ପାଣ୍ଡିଆନଙ୍କୁ ଗାଳି ଦେଲେ । ନବୀନ ବାବୁ ଓ ପାଣ୍ଡିଆନ ନାଁ ଧରି ଗଣମାଧ୍ୟମରେ ଆସିବାକୁ ଚେଷ୍ଟା କଲେ। କାଳେ ଏପରି କରିବା ଦ୍ୱାରା ଯେ ଯେଉଁ ପାର୍ଟିରେ ଅଛନ୍ତି, କାଳେ କେଉଁ ପଦବୀ ମିଳିଯିବ?
ଏତିକି ନୁହଁ ମନ୍ମଥ ଏକଥା ମଧ୍ଯ କହିଛନ୍ତି ଯେ ରାଜ୍ଯ ପ୍ରତି ଯଦି ଏତେ ଭଲ ପାଇବା ତାହେଲେ ୧୮ ବର୍ଷ ଆମେରିକାରେ କ’ଣ କରୁଥିଲେ? ଏଠି ମାଆ ବାପାଙ୍କୁ ଛାଡ଼ି ସେଠି କ’ଣ କରୁଥିଲେ। ଏଠି ବାପା ମାଆଙ୍କ ସମ୍ପତ୍ତିକୁ ବ୍ୟବହାର କରି କି ସେଠି କ’ଣ କରୁଥିଲେ? ତାଙ୍କ ପିଲାମାନେ ଆମେରିକାର ପାସପୋର୍ଟରେ କାହିଁକି ଅଛନ୍ତି ? ଆପଣ ଯଦି ଓଡ଼ିଶାକୁ ଭଲପାଉଛନ୍ତି, ତାହାହେଲେ କାହିଁକି ଆପଣଙ୍କ ପିଲା ଭାରତୀୟ ପାସପୋର୍ଟରେ ନାହାନ୍ତି ? ସେ ଭାବୁଥିଲେ, ସ୍ପୋଟ୍ସକୁ ବ୍ୟବହାର କରି ଲୋକଙ୍କ ସେବା ନ କରି, କୌଣସି କାର୍ଯ୍ୟ ନ କରି କେମିତି ମୁଁ ଗୋଟିଏ ନେତା ହୋଇଯିବି ? କିପରି ସୁର ରାଉତରାୟଙ୍କ ନାଁ ନେଇ ୨ବଡ଼ ଦଳରେ ଟିକେଟ ପାଇଯିବି ? ଯେହେତୁ କିଛି ପାଇଲେନି, ସେଥିପାଇଁ ନବୀନ ପଟ୍ଟନାୟକ ଓ ପାଣ୍ଡିଆନଙ୍କୁ ଗାଳି କରୁଛନ୍ତି । ସୁର ରାଉତରାୟଙ୍କୁ ବି ଛାଡ଼ୁନାହାନ୍ତି ବୋଲି ମନ୍ମଥ କହିଛନ୍ତି। ନିଜ ପରିବାରକୁ ଆମେରିକାରେ ଛାଡ଼ି ଏଠି ରାଜ୍ୟ ଭକ୍ତି ଦେଖାଉଛନ୍ତି। ଏଭଳି ବ୍ୟକ୍ତି ରାଜ୍ୟ ପାଇଁ ଭଲ ନୁହଁନ୍ତି, ଭଲ ବ୍ୟକ୍ତିତ୍ୱ ନୁହନ୍ତି। ସେ ଜଣେ ଫ୍ରଡ୍ ବୋଲି କହିଛନ୍ତି। ତେବେ ମନ୍ମଥ ଙ୍କ ଏପରି କଥା ପରେ ସୁର କିମ୍ବା ସିଦ୍ଧାର୍ଥଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ।