ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ା ଜିଲ୍ଲା ଭିତରକନିକା ଜାତୀୟ ଉଦ୍ୟାନ ଓ ଗହୀରମଥା ଅଞ୍ଚଲରେ ଆଜିଠାରୁ ଡଲଫିନ୍ ଗଣନା ଆରମ୍ଭ ହୋଇଛି । ଆସନ୍ତା ୩ ଦିନ ଯାଏ ଚାଲିବ ଗଣନା । ରାଜନଗର ବନଖଣ୍ଡର ୫ଟି ରେଞ୍ଜରେ ୯ଟି ଟିମ୍ ସାମିଲ ହୋଇଛନ୍ତି । ପ୍ରତ୍ୟେକ ଟିମରେ ରହିଛନ୍ତି ୪ଜଣ ସଦସ୍ୟ । ପ୍ରତି ଦିନ ସକାଳ ୬ଟାରୁ ଦିନ ୧୨ଟା ଯାଏଁ ଚାଲିବ ଡଲଫିନ୍ ଗଣନା । ଆଉଟର ହୁଇଲରରୁ ଚିଂଚିରି ମାଉଥ୍, ବରୁଣେଇରୁ ପାରାଦୀପ, ହଂସିଣା ବ୍ରିଜ୍ରୁ ମାଇପୁରା ମାଉଥ୍, ରାଜନଗର ହଂସୁଆ ନଦୀରୁ ଖୋଳା, ଖୋଳାରୁ ଧାମରା ମାଉଥ୍ ଭାୟା ନଳିତାପାଟିଆ, କାଳିଭଂଜଡିଆଁ, ଜମ୍ବୁ ଖରନାସିରୁ ହୁକିଟେଲା, ପାରାଦୀପରୁ ଜଟାଧାର ମୁହାଣ ଓ ଦେବୀ ମୁହାଣରୁ ଜଟାଧାର ମୁହାଣ ଯାଏ ଡଲଫିନ୍ ଗଣନା କରାଯିବ। ଗଣନା ସମୟରେ ବାଇନାକୁଲାର, ଜିପିଏସ, କ୍ୟାମେରା ଓ ହ୍ୟାଣ୍ଡିକ୍ୟାମ ସାହାଯ୍ୟରେ ଗଣନା କରାଯାଉଛି ବୋଲି ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।
ରାଜ୍ୟରେ ଏବେ ବିଭିନ୍ନ ସ୍ଥାନରେ ଡଲଫିନ୍ ଗଣନା କରାଯାଉଛି । ଚିଲିକାରେ ଡଲଫିନ୍ ଗଣନା ଶେଷ ହୋଇଛି । ଏଠାରେ ମଧ୍ୟ ତିନି ଧରି ଗଣନା କରାଇଥିଲା । ଚିଲିକା ହ୍ରଦର ସାତପଡ଼ା ଓ ବାଲୁଗାଁ ରେଞ୍ଜରେ ବିଭିନ୍ନ ସ୍ଥାନରେ ୧୮ଟି ଟିମ୍ ନିୟୋଜିତ ହୋଇଥିଲେ । ଏଥିରେ ବାଲୁଗାଁ ବନଖଣ୍ଡର ୧୦ ଓ ସାତପଡ଼ାର ୮ଟି ଟିମ୍ ସାମିଲ ହୋଇଥିଲେ ।